ପୁଲିସର କାର୍ଯ୍ୟ ଦକ୍ଷତାକୁ ବିରୋଧ କରି ଜୋତା ପଲିସ କଲେ ପୂର୍ବତନ ଭିଜିଲାନ୍ସ ଏସପି

ବାଲେଶ୍ୱର,ଏନ୍ଏନ୍ଏସ୍: ପୁଲିସ କାର୍ଯ୍ୟଦକ୍ଷତାକୁ ବିରୋଧ କରି ବାଲେଶ୍ୱର ଜିଲ୍ଲା ଏସପି ବି. ଯୁଗୋଳ କିଶୋରଙ୍କ ଅଫିସ ଆଗରେ ପୂର୍ବତନ ଭିଜିଲାନ୍ସ ଏସପି ଉଜ୍ଜ୍ୱଳ କୁମାର ବ୍ରହ୍ମ ଧାରଣାରେ ବସିବା ସହ ଅଭିନବ ଉପାୟରେ ଜୋତା ପଲିସ କରିଛନ୍ତି। ପୁଲିସ ବିଭାଗରେ ସ୍ୱଚ୍ଛତା ଆଣିବା ପାଇଁ ସେ ଗତ ଅକ୍ଟୋବର ୨ ତାରିଖ ଠାରୁ ଏଭଳି ଅଭିନବ ଉପାୟ ଅବଲମ୍ବନ କରି ଏହାର ପ୍ରତିବାଦ କରି ଆସୁଛନ୍ତି। ତାଙ୍କୁ ସମର୍ଥନ କରି କିଶୋର ଚୌଧୁରୀ ନାମକ ଜଣେ ବ୍ୟକ୍ତି ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି। ଜଣେ ପୂର୍ବତନ ଏସପିଙ୍କୁ ପୁଲିସ ନ୍ୟାୟ ପ୍ରଦାନ କରିପାରୁ ନଥିବା ବେଳେ ସାଧାରଣ ଲୋକଙ୍କୁ ପୁଲିସ କିପରି ନ୍ୟାୟ ପ୍ରଦାନ କରିବ ତାହା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

ଏପରିକି ପୁଲିସ ବିଭାଗରେ ଦଲାଲ ରହିଥିବା ବେଳେ ପୁଲିସ ଯାଇ ବାହାରେ ଦଲାଲମାନଙ୍କୁ ଧରୁଛନ୍ତି। ହେଲେ ନିଜ ବିଭାଗର ଦଲାଲମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏଣୁ ପୁଲିସ ବିଭାଗରେ ସ୍ୱଚ୍ଛତା ଆଣିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟ ନେଇ ସେ ସୋମବାର ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ଲୋକଙ୍କ ଜୋତା ସଫା କରି ଏହାର ପ୍ରତିବାଦ କରୁଛନ୍ତି। ସୂଚନା ଅନୁସାରେ, ପୁଲିସର ମନମୁଖି କାର୍ଯ୍ୟକଳାପ ସହ ଲୋକଙ୍କ ହିତ ପାଇଁ କାର୍ଯ୍ୟ ପାରିବା ପରିବର୍ତ୍ତେ ଲୋକଙ୍କୁ ଶୋଷଣ କରୁଥିବା ପୁଲିସ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଭୁବନେଶ୍ୱର ଡିଭିଜନରୁ ୨୦୧୦ମସିହାରେ ଭିଜିଲାନ୍ସ ଏସପି ଭାବେ ଅବସର ଗ୍ରହଣ କରିଥିବା ଶ୍ରୀ ବ୍ରହ୍ମ ଏଭଳି ପ୍ରତିବାଦକୁ ଆପଣେଇ ନେଇଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ, ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ତାଙ୍କର ୫ଟି ମାମଲା ରହିଛି। ଯାହାକି ଦୀର୍ଘ ଦିନ ହେବ ଏହି ମାମଲା ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ କିମ୍ବା ଏହି ମାମଲାରେ କୌଣସି ତଦନ୍ତ ମଧ୍ୟ କରୁନାହିଁ। ବାରମ୍ବାର ସେ ଥାନାକୁ ଦୌଡ଼ିବା ପରେ ମଧ୍ୟ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ପୁଲିସ ବାହାରେ ଯାଇ ଦଲାଲମାନଙ୍କୁ ଧରୁଛନ୍ତି, ହେଲେ ନିଜ ବିଭାଗରେ ରହିଥିବା ଦଲାଲମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।