କଂଗ୍ରେସ ଛାଡିଲେ କ୍ୟାପଟେନ ଅମରିନ୍ଦର, ଘୋଷଣା କଲେ ନିଜ ନୂଆ ଦଳ ନାଁ

ଚଣ୍ଡୀଗଡ,ଏଜେନ୍ସି: କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୭ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି। ଏହା ସଙ୍ଗେ ସଙ୍ଗେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସେ ନିଜର ନୂଆ ଦଳ ନାମ ମଧ୍ୟ ସାର୍ବଜନୀନ କରିଛନ୍ତି। କ୍ୟାପଟେନ ଅମରିନ୍ଦରଙ୍କ ଦଳ ନାମ ‘ପଞ୍ଜାବ ଲୋକ କଂଗ୍ରେସ’ ରହିଛି। ଦଳର ରେଜିଷ୍ଟ୍ରେସନ ଆବେଦନ ଭାରତୀୟ ନିର୍ବାଚନ କମିସନଙ୍କ ପାଖରେ ପଡି ରହିଥିବା ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।

ଅମରିନ୍ଦର ନିଜ ଇସ୍ତଫା ପତ୍ରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ସେ ନିଜ ପିଲା ପରି ଭଲ ପାଆନ୍ତି। ସେମାନଙ୍କ ଆଚରଣ ତାଙ୍କୁ କଷ୍ଟ ଦେଇଥିବା ସେ କହିଛନ୍ତି ଏବଂ ନବଜୋତ ସିଂହ ସିଦ୍ଧୁ ଭଳି ଜଣେ ପାକିସ୍ତାନ ପ୍ରେମୀଙ୍କୁ ସେମାନେ ସମର୍ଥନ କରୁଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିଜ ଦଳ ଘୋଷଣା କରିବା ସହ ନିର୍ବାଚନ କମିସନ ଦଳର ପଞ୍ଜୀକରଣକୁ ସ୍ବୀକୃତି ଦେବା ପାଇଁ ଅପେକ୍ଷା କରିଥିବା କହିଛନ୍ତି।