ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋଙ୍କୁ ଗୁଳିମାଡ

ଟୋକିଓ,ଏଜେନ୍ସି: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ । ଜାପାନର ନାରା ସହରରେ ସିଞ୍ଜୋଙ୍କୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ୨୦୦୬-୦୭ ଓ ୨୦୧୨-୨୦ ଯାଏ ସିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ସିଞ୍ଜୋ ଆବେ ଗୁରୁତର ହୋଇଛନ୍ତି । ଏନେଇ ଜାପାନ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ପଶ୍ଚିମ ନାରା ସହରର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ । ଏହି ସମୟରେ ହଠାତ୍‌ ଜୋରରେ କିଛି ଶବ୍ଦ ହେବା ସହ ସିଞ୍ଜୋ ଆବେ ତଳେ ପଡ଼ିଯାଇଥିଲେ । ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । କେହି କିଛି ପ୍ରଥମେ ବୁଝି ପାରିନଥିଲେ। ସିଞ୍ଜୋ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ସିଞ୍ଜୋ ଆବେଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜାପାନର ଗଣମାଧ୍ୟମ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି । ତାଙ୍କୁ ହୃୃଦଘାତ ହୋଇଥିବା ମଧ୍ୟ ଖବର ମିଳିଛି । ଗୁଳିମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।