ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡାଦେଶ ମିଳିଛି। ଉକ୍ତ ମାମଲାରେ ଆଶିଷ ଶୁକ୍ଳା ଓ ଅଶୋକ ତିୱାରୀଙ୍କ ଉପରେ ବି ଆଜୀବନ କାରାଦଣ୍ଡାଦେଶ ଓ ୨ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। ୨୦୧୭ ମାର୍ଚ୍ଚ ୧୮ ତାରିଖରେ ଚିତ୍ରକୂଟର ଜଣେ ମହିଳା ଓ ତାଙ୍କ ନାବାଳିକ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୂର୍ବମନ୍ତ୍ରୀ ଗାୟତ୍ରୀ ପ୍ରସାଦଙ୍କୁ ଗିରଫ କରାଯାଇଥିଲା। ନିକଟରେ ଏମପୀ-ଏମଏଲଏ କୋର୍ଟର ବିଶେଷ ଜଜ୍ ପବନ କୁମାର ରାୟ ଗାୟତ୍ରୀ ସମେତ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହିତ ଅନ୍ୟ ୪ ଅଭିଯୁକ୍ତଙ୍କୁ ଖଲାସ କରି ଦିଆଯାଇଥିଲା।
ସୂଚନାଯୋଗ୍ୟ, ୨୦୧୩ରେ ଚିତ୍ରକୂଟର ଗଙ୍ଗା ଆରତୀ କାର୍ଯ୍ୟକ୍ରମରେ ପୀଡ଼ିତା ପୂର୍ବତନ ମନ୍ତ୍ରୀଙ୍କୁ ଭେଟିଥିଲେ। ୨୦୧୪ରେ ଗାୟତ୍ରୀମହିଳାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ଏହି ଧାରା ୨୦୧୬ ପର୍ଯ୍ୟନ୍ତ ଜାରି ରହିଥିଲା। ୨୦୧୬ରେ ପ୍ରଥମଥର ପାଇଁ ଏହି ମାମଲାକୁ ନେଇ ମହିଳା ଜଣକ ୟୁପି ଡିଜିପିଙ୍କଠାରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ୨୦୧୭ରେ ପୀଡ଼ିତାଙ୍କ ଏଫଆଇଆରକୁ ଦାୟର କରିବା ପାଇଁ ୟୁପି ପୁଲିସ ଓ ସରକାରଙ୍କୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ୨୦୧୭ ଜୁଲାଇ ୧୮ରେ ସମସ୍ତ ଅଭିଯୁକ୍ତଙ୍କ ନାମରେ ୟୁପି ପୁଲିସ ମାମଲା ଦାୟର କରିଥିଲା। ୨୦୨୧ ନଭେମ୍ବର ୨ରେ ସବୁ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା। ଆଉ ନଭେମ୍ବର ୧୦ରେ ଗାୟତ୍ରୀ ପ୍ରସାଦ ପ୍ରଜାପତି, ଆଶିଷ ଶୁକ୍ଳା ଓ ଅଶୋକ ତିୱାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।