ଶାହ ଓ ନଡ୍ଡାଙ୍କୁ ଭେଟିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପୀ ନଡ୍ଡାଙ୍କୁ ଭେଟିଛନ୍ତି । ଏହି ସମୟରେ ଫଡନାଭିସ ଉଭୟ ନେତାଙ୍କ ସହ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ସମ୍ବନ୍ଧରେ ଆଲୋଚନା କରିଥିବା ଜଣାପଡ଼ିଛି । ଶାହଙ୍କ ସହ ୪୦ ମିନିଟ ବୈଠକ ପରେ ଫଡନାଭିସ ନଡ୍ଡାଙ୍କ ଆବାସରେ ପହଂଚିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପାଖାପାଖି ଘଣ୍ଟାଏ ବୈଠକ ହୋଇଥିଲା । ଗତକାଲି ମହାରାଷ୍ଟ୍ର ବିିଜେପିର କୋର କମିଟି ବୈଠକ ପରେ ଆଜି ଫଡନାଭିସ ଦିଲ୍ଲୀ ପହଂଚିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମହାମେଣ୍ଟକୁ ବହୁମତ ମିଳିଥିଲା । କିନ୍ତୁ ନିର୍ବାଚନ ଫଳାଫଳ ପରେ ଶିବସେନା ଅଲଗା ହୋଇଯାଇଥିଲା । ପରେ ଏନସିପିର ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିଥିଲା ଏବଂ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ । କିନ୍ତୁ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଫଡନାଭିସ ତୁରନ୍ତ ଇସ୍ତଫା ଦେଇଥିଲେ ।