ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ଦେହାନ୍ତ; ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଶିମଲା,ଏଜେନ୍ସି: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧ୍ୟକ ଜନିତ ରୋଗରେ ପୀଡିତ ଥିଲେ ବୀରଭଦ୍ର ସିଂହ।

ଶିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମେଡିକାଲ ସୁପରିଟେଣ୍ଡାଣ୍ଟ ଡାକ୍ତର ଝଙ୍କର ରାଜଙ୍କ ସୂଚନା ଅନୁସାରେ ସେ ଏପ୍ରିଲ ୧୩ରେ କରୋନା ସଂକ୍ରମିତ ହୋଇଥିଲେ। ପ୍ରଥମେ ମୋହାଲିର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ଇନ୍ଦିରା ଗାନ୍ଧୀ ମେଡିକାଲ ଭର୍ତ୍ତି ହୋଇଥିଲେ।

ବୀରଭଦ୍ର ୯ ଥର ବିଧାୟକ ହୋଇଥିବାବେଳେ ୫ ଥର ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଏହା ସହିତ ପାର୍ବତ୍ୟାଞ୍ଚଳ ରାଜ୍ୟ ହିମାଚଳ ପ୍ରଦେଶର ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।