ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ପୃଥକ ଏନକାଉଣ୍ଟରରେ ୫ ଆତଙ୍କବାଦୀ ସଫା

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ଭାରତୀୟ ଯବାନଙ୍କ ଗୁଳିରେ ପୃଥକ ସ୍ଥାନରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ପୁଲୱାମା ଅଞ୍ଚଳର ପୋଚାଲ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

ସେହିପରି କୁଲଗାମ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆଉ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ହ୍ୟାଣ୍ଡୱାରା ଏନକାଉଣ୍ଟରରେ ହିଜବୁଲର ଜଣେ ବରିଷ୍ଠ ଆତଙ୍କବାଦୀର ମୃତ୍ୟୁ ଘଟିଛି। ତେବେ ବିନା କୌଣସି କ୍ଷତିରେ ଅପରେସନ୍ ଚଳାଇଥିବାରୁ ପୁଲିସ ଏବଂ ସୁରକ୍ଷା ବାହିନୀକୁ କଶ୍ମୀରର ଆଇଜିପି ବିଜୟ କୁମାର ଅଭିନନ୍ଦନ ଜଣାଇଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଏବଂ ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଦୁଇଟି ପୃଥକ ମୁକାବିଲାରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ କୁଲଗାମ ଜିଲ୍ଲାର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।