ସିଣ୍ଡିକେଟ୍ ବ୍ୟାଙ୍କରେ ୧.୯୬ କୋଟିର କୃଷି ଋଣ ଘୋଟାଲା: ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ବୁର୍ଲା ସିଣ୍ଡିକେଟ୍ ବ୍ୟାଙ୍କରେ ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ଜାଲ୍ କାଗଜପତ୍ରରେ ୧ କୋଟି ୯୬ ଲକ୍ଷ ଟଙ୍କା କୃଷି ଋଣ ପ୍ରଦାନ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବ୍ୟାଙ୍କର ଦୁଇ ଜଣ ଅବସରପ୍ରାପ୍ତ ଅଧିକାରୀ ସୁବାସ ଚନ୍ଦ୍ର ଦାଶ ଏବଂ ଅନ୍ୟତ୍ର ବଦଳି ହୋଇଥିବା ମାରିଆନୁସ୍ ଲାକ୍ରାଙ୍କୁ ଆଜି ଏଠାରେ ଗିରଫ କରିଛି।

ସିଣ୍ଡିକେଟ୍ ବ୍ୟାଙ୍କର ଭୁବନେଶ୍ୱର ରିଜିଓନାଲ୍ ମ୍ୟାନେଜର ଚନ୍ଦ୍ରକାନ୍ତ ଦାସମହାପାତ୍ରଙ୍କ ଏତଲା କ୍ରମେ ଇଓଡବ୍ଲୁ ଥାନାରେ ଆଇପିସି ୪୧୯, ୪୨୦, ୪୬୭, ୪୬୮, ୪୭୧, ୪୦୯ ଓ ୧୨୦ ବି ରେ ରୁଜୁ ୧୯/୨୦୧୯ ନମ୍ବର ମାମଲାରେ ଗିରଫ ଉଭୟଙ୍କୁ ସମ୍ବଲପୁର ଏସଡିଜେଏମଙ୍କର ଅଦାଲତରେ ହାଜର କରାଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବୁର୍ଲା ସିଣ୍ଡିକେଟ ବ୍ୟାଙ୍କରେ ୨୦୧୪ ରୁ ୧୬ ମସିହା ଯାଏ ଶ୍ରୀ ଦାଶ ବ୍ରାଞ୍ଚ ମ୍ୟାନେଜର ଏବଂ ଶ୍ରୀ ଲାକ୍ରା ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ।

ସେ ସମୟରେ ବ୍ୟାଙ୍କର କିଷାନ କାର୍ଡ ସ୍କିମ୍ରେ ଜାଲ କାଗଜପତ୍ର ଜରିଆରେ ୧ ଲକ୍ଷ ଟଙ୍କା ଲେଖାଏ ମୋଟ ୧ କୋଟି ୯୬ ଲକ୍ଷ ଟଙ୍କାର ୧୯୬ଟି କୃଷି ଋଣ ମଞ୍ଜୁର ହୋଇଥିଲା। ସେହି ଋଣ ଟଙ୍କା ପରିଶୋଧ ନ ହୋଇ ବ୍ୟାଙ୍କର ଅଚଳ ସମ୍ପତ୍ତି ଏନ୍ପିଏ ହେବାରୁ ବ୍ୟାଙ୍କ ପକ୍ଷରୁ ଗତ ୬ ତାରିଖ ଦିନ ଭୁବନେଶ୍ୱର ଇଓଡବ୍ଲ୍ୟୁ ଥାନାରେ ଏତଲା ହୋଇଥିଲା। ତଦନ୍ତରେ ଶ୍ରୀ ଦାଶ ଓ ଶ୍ରୀ ଲାକ୍ରା ଅନ୍ୟ କେତେଜଣଙ୍କ ଷଡ଼ଯନ୍ତ୍ର କରି ଜାଲ ପରିଚୟ ପତ୍ର, କେୱାସି ଦସ୍ତାବିଜ୍ ଇତ୍ୟାଦି ଦାଖଲ କରି ଏପରିକି ମୃତ ବ୍ୟକ୍ତିଙ୍କ ନାମରେ ବ୍ୟାଙ୍କର କିସାନ କାର୍ଡ ସ୍କିମରେ କୃଷି ଋଣ ମଞ୍ଜୁର କରିଥିବା ଧରାପଡ଼ିଛି।

ଋଣ ମଞ୍ଜୁରି ପାଇଁ ଆବେଦନ ପତ୍ରରେ ଲଗାଯାଇଥିବା ଫଟୋଗୁଡ଼ିକ ମଧ୍ୟ ଆବେଦନକାରୀଙ୍କ ଚେହେରା ସହ ମେଳ କରୁନଥିବା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଇଓଡବ୍ଲ୍ୟୁ ଥାନାର ଏକ ଅଧିକାରୀ ଦଳ ଆଜି ଏଠାରେ ପହଞ୍ଚି ଅଇଁଠାପାଲି ଥାନା ଅନ୍ତର୍ଗତ ପ୍ରଧାନପଡ଼ାରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ଦାଶ ଏବଂ ଅନୁଗୁଲିଆ ପଡ଼ାରେ ରହୁଥିବା କାର୍ଯ୍ୟରତ ବ୍ୟାଙ୍କ ଅଧିକାରୀ ଶ୍ରୀ ଲାକ୍ରାଙ୍କୁ ଗିରଫ କରିଛନ୍ତି।