ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଫରେଷ୍ଟର ଓ ୱାଚର

ନୟାଗଡ଼,ଏନ୍ଏନ୍ଏସ୍: ଜଙ୍ଗଲରୁ ଜାଳେଣି କାଠ ବିକ୍ରି ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର ଜିତୁ ମଣ୍ଡଳ ଭୁବନେଶ୍ୱର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଉଭୟଙ୍କ ଠାରୁ ଲାଞ୍ଚ ଟଙ୍କା ୫ହଜାର ଜବତ ହୋଇଛି। ଫରେଷ୍ଟର ଜଣଙ୍କ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଉଦୟପୁରର ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ ରଣପୁର ଥାନା ଖତିଆ ଗାଁ’ର କୁମର ମାଝୀ। ସେ ନିକଟସ୍ଥ ଜଗନ୍ନାଥ ପ୍ରସାଦ ଜଙ୍ଗଲରୁ ଶୁଖିଲା କାଠ କାଟି ଆଣି ପରିବାର ପ୍ରତି ପୋଷଣ କରିଥାନ୍ତି। ତେବେ ଜଙ୍ଗଲରୁ କାଠ କାଟିବା ପାଇଁ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର ଜିତୁ ମଣ୍ଡଳ ତାଙ୍କୁ ୫ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ଜଙ୍ଗଲରୁ ଜାଳେଣି କାଠ ଆଣିବାରେ ବାଧା ସୃଷ୍ଟି କରିଥିଲେ।

ଏ ନେଇ ଜଗନ୍ନାଥ ଭୁବନେଶ୍ୱର ଭିଜିଲାନ୍ସ ସହାୟତାରେ ଯୋଜନା ବଦ୍ଧ ଭାବେ ଲାଞ୍ଚ ପାଇଁ ରାଜି ହୋଇଥିଲେ। ଭିଜିଲାନ୍ସ ଦଳ ଏକ ଜାଗାରେ ଛକି ରହିଥିବା ବେଳେ ଜଗନ୍ନାଥ ଲାଞ୍ଚ ଦେବାକୁ ଯାଇଥିଲେ। ଠିକ୍ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଉଭୟଙ୍କୁ କାବୁ କରିଥିଲା। ଭିଜିଲାନ୍ସ ଡିଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ ୮ଜଣିଆ ଦଳ ଚଢ଼ଉରେ ସାମିଲ ଥିଲେ।