ବନ ବିଭାଗର ଅଚାନକ ଚଢ଼ଉ, ଜଣେ ଶିକାରୀ ଗିରଫ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ଫୋରେଷ୍ଟ ବିଟ ତଥା ଅମ୍ବାଦଳା ଥାନା କନ୍ଧମାଳ ସୀମାବର୍ତ୍ତୀରେ ଥିବା ବଡ଼ କାନ୍ଦୁଲପଡ଼ା ଗ୍ରାମରେ ବନ ବିଭାଗ ଅଚାନକ ଚଢ଼ଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବଡ଼ କାନ୍ଦୁଲପଡ଼ା ଗ୍ରାମର କୀତାନା ଆନ୍ଦକିଆ(୩୧) । ଅଭିଯୁକ୍ତଠାରୁ ଗୋଟିଏ କଲରାପତରିଆ ବାଘ ଛାଲ, ୨ଟି ଦେଶୀ ବନ୍ଧୁକ ଓ କିଛି ବାରୁଦ ପାଉଡ଼ର ସାମଗ୍ରୀ ଜବତ କରିବା କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଏହି ଶିକାର ସମ୍ବନ୍ଧରେ ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜର ଅନିଲ କୁମ୍ବାର ବାଲାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଅମ୍ବାଦଳା ଫୋରେଷ୍ଟର ସୁରେଶ ପାତ୍ର, ମୁନିଗୁଡ଼ା ଫୋରେଷ୍ଟର ପ୍ରମୋଦିନୀ ମଣ୍ଡାଙ୍ଗୀ, ରୋନିତ କୁମାର ମହାରଣା, ପ୍ରଳୟ ଦଣ୍ଡସେନା ଓ ଜଗଦଳପୁର ବିଟର ଫୋରେଷ୍ଟ ଗାର୍ଡ ସୁଭାଶିନୀ ମୁଳିଙ୍କ ସମେତ ୧୦ଜଣ ୱାଇଡଲାଇଫ ସ୍କ୍ୱାର୍ଡକୁ ନେଇ ଗଠନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଟିମ ପେଟ୍ରୋଲିଙ୍ଗ କରି ରାୟଗଡ଼ା ଓ କନ୍ଧମାଳ ସୀମାବର୍ତ୍ତୀରେ ଥିବା ବଡ଼ କାନ୍ଦୁଲପଡ଼ା ଗ୍ରାମର କୀତାନା ଆନ୍ଦକିଆଙ୍କ ଘରେ ଅଚାନକ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ତାଙ୍କ ଘରୁ ଗୋଟିଏ କଲରାପତରିଆ ବାଘ ଛାଲ, ୨ଟି ଦେଶୀ ବନ୍ଧୁକ ଓ କିଛି ବାରୁଦ ପାଉଡର ଜବତ କରାଯାଇଥିଲା । ଏହି ଚଢ଼ଉ ବେଳେ କୀତାନା ଆନ୍ଦକିଆଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇ ଥିବାବେଳେ ସାମନ୍ତ ସିକକା ନାମକ ଅନ୍ୟଜଣେ ସନ୍ଦିଗ୍ଧ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସାମନ୍ତ ରେଡ ସମୟରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାରୁ ସେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ଜବତ ବାଘ ଛାଲଟି ପୁରୁଷ ବାଘ ଓ ଏହାର ଲମ୍ବ ୨୨୦ ସେମି ଥିବାବେଳେ ଚଉଡ଼ା ୬୦ ସେମି ରହିଛି । ଏହି ବାଘ ଶିକାର ପରେ ଏହାର ନଖ ଓ ବୀର ହାଡ଼କୁ କୀତାନା ୨୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ନେଇ ନିଜେ ସ୍ୱୀକାର କରିଛି । ଏହି ବିଷୟକୁ ନେଇ ମୁନିଗୁଡ଼ା ଫୋରେଷ୍ଟ ଅଫିସରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକାରୀ କିତାନାକୁ କୋର୍ଟ ଚାଲାଣ କରିବା ସହ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ମୁନିଗୁଡ଼ା ରେଞ୍ଜର ଅନିଲ କୁମାର ବାଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପ୍ରକାଶଥାଉ କି, ମୁନିଗୁଡ଼ାକୁ ରେଞ୍ଜର ଭାବେ ଶ୍ରୀଯୁକ୍ତ ବାଲା ସପ୍ତାହେ ହେବ ଆସି ପହଞ୍ଚିଛନ୍ତି । ଏହି ସ୍ୱଳ୍ପ ସମୟ ମଧ୍ୟରେ ବନାଞ୍ଚଳରେ ତାଙ୍କର କଠୋର କାର୍ଯ୍ୟାନୁଷ୍ଠାନ ଜଙ୍ଗଲ ମାଫିଆ ଓ ଶିକାରୀଙ୍କ ନିଦ ହଜେଇ ଦେଇଥିବା ଶୁଣିବାକୁ ମିଳୁଛି ।