ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ମହିଳା ସ୍ୱାସ୍ଥ୍ୟ କର୍ମଚାରୀ

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲାର ବିଭିନ୍ନ କୋଭିଡ କେୟାର କେନ୍ଦ୍ରରେ କାର୍ଯ୍ୟରତ ଠିକା ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବିକ, ଜିଲ୍ଲା ପ୍ରଶାସନ ଛଟେଇ କରିବା ପରେ ସୋମବାରରୁ ସ୍ୱାସ୍ଥ୍ୟ କର୍ମଚାରୀ ଧାରଣାରେ ବସିଛନ୍ତି। ଛଟେଇ ହୋଇଥିବା ୨୦୯ ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଚାକିରୀ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଥିବା ସିଡିଏମଓ ଡା.ମକରନ୍ଦ ବେଉରା ସୂଚନା ଦେଇଥିଲେ ମଧ୍ୟ ଆନ୍ଦୋଳନକାରୀ ରାତିସାରା ବସି ରହିଥିଲେ। କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ, ଟାଉନ୍ ଥାନା ଅତିରିକ୍ତ ଆଇଆଇସି ଶଙ୍କର ପ୍ରସାଦ ମାଝୀ, ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁଙ୍କ ସହ ପୁଲିସଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

ସୂଚନାଯୋଗ୍ୟ,ଏହାପୂର୍ବରୁ ଗତମାସ ୧୬ ଓ ୨୪ ତାରିଖରେ ଠିକା ମହିଳା ସ୍ୱାସ୍ଥ୍ୟ କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଭେଟି ଆଲୋଚନା କରି ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ଓହରି ଯାଇଥିଲେ। ହେଲେ ଏହା ମଧ୍ୟରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ କୌଣସି ସକରାତ୍ମକ ପଦକ୍ଷେପ ନେଇନଥିବାରୁ ପୁଣି ଧାରଣା ଦେଇଥିବା ଜଣାପଡ଼ିଛି।