ବଲାଙ୍ଗିର,ଏନ୍ଏନ୍ଏସ୍: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୨ ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ଏକ ସଚେତନତା ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। କୋଶଳ କଳା ମଣ୍ଡଳ ପଡିଆରୁ ବାହାରିଥିବା ଏହି ସଚେତନତା ରାଲିକୁ, ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ସଚେତନତା ରାଲି କୋଶଳ କଳାମଣ୍ଡଳ ପଡିଆରୁ ବାହାରି ସହର ପରିକ୍ରମା କରିଥିଲା। ସଚେତନତା ରାଲିରେ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ୍, ରେଡ୍କ୍ରସ୍, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖାର କର୍ମଚାରୀମାନେ ଯୋଗଦେଇଥିଲେ।
ଏହି ସଚେତନତା ରାଲିକୁ ଡ଼ିଏସ୍ପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା କ୍ରିଡା ଅଧିକାରୀ ପରାଶର ବାଗ, ସହକାରୀ ଜିଲ୍ଲାପାଳ ଆଦିତ୍ୟ ଦଳବେହେରା ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଭାଗିରଥି ଛକଠାରେ ଭବାନୀ ଶଙ୍କର କଳା ପରିଷଦ କୁଟେନପାଲିର କଳାକାର ମାନଙ୍କ ଦ୍ଵାରା ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡ଼ିଏସ୍ପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।