ହିମାଚଳ ପ୍ରଦେଶରେ ପୁଣି ବନ୍ୟା: ୮ ମୃତ, ୭ ନିଖୋଜ

  • ସିମଲା: ହିମାଚଳ ପ୍ରଦେଶରେ ପୁଣି ବନ୍ୟା ବିତ୍ପାତ ଦେଖାଦେଇଛି । ଏହି ବନ୍ୟା ଯୋଗୁଁ ୮ଜଣ ମୃତ୍ୟୁବରଣ କରିଥିବାବେଳେ ୭ ଜଣ ନିଖୋଜ ଅଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ ସୁଦେଶ କୁମାର ମୁକ୍ତା କହିଛନ୍ତି ଯେ, କୁଲ୍ଲୁ ଜିଲ୍ଲାରେ ୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଚମ୍ବା ଜିଲ୍ଲାରେ ଜଣେ ପ୍ରାଣ ହରାଇଛନ୍ତି। ଲାହୋଲ-ସ୍ପିତିରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୭ ଜଣ ନିଖୋଜ ଅଛନ୍ତି। କୁଲ୍ଲୁ ଜିଲ୍ଲାରେ ଜଣେ ୨୪ ବର୍ଷୀୟା ମହିଳା ଓ ତାଙ୍କ ୪ ବର୍ଷର ପୁଅ ବ୍ରହ୍ମଗଙ୍ଗା ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଲାହୋଲର ଉଦୟପୁରରେ ଏକ ନିର୍ମାଣ ପ୍ରକଳ୍ପରେ କାର୍ଯ୍ୟ କରୁଥିବା କେତେକ ଶ୍ରମିକ ଓ ଏକ ଜେସିବି ମେସିନ ବନ୍ୟାଜଳରେ ଭାସିଯାଇଛି। ୩ଜଣ ଶ୍ରମିକଙ୍କ ମୃତଦେହ ମିଳିଥିବାବେଳେ ଆଉ ୭ ନିଖୋଜ ଅଛନ୍ତି। ନିଖୋଜ ଶ୍ରମିକମାନଙ୍କ ସନ୍ଧାନ ପାଇଁ ଇଣ୍ଡୋ ତିବ୍ୱତୀୟ ବର୍ଡର ପୁଲିସକୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି । ଗତ ୧୨ ତାରିଖରେ ରାଜ୍ୟର ଧର୍ମଶାଳାଠାରୁ ୩୦ କିଲୋମିଟର ଦୂରରେ ଥିବା କାଙ୍ଗ୍ରା ଜିଲ୍ଲାର ବୋହ ଘାଟିରେ ଭୂସ୍ଖଳନ ହେବାରୁ ଅତି କମରେ ୫ ଜଣ ଲୋକ ପ୍ରାଣ ହରାଇଥିଲେ।