ଆନ୍ଧ୍ର ପ୍ରଦେଶରେ ବନ୍ୟା, ୨୪ ମୃତ

ତିରୁପତି,ଏଜେନ୍ସି: ଆନ୍ଧ୍ର ପ୍ରଦେଶରେ ବିଗତ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିଥିବାବେଳେ ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ରୟାଲସୀମା ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବର୍ଷା ଓ ତତ୍‌ଜନିତ ବନ୍ୟାରେ ଏପର୍ଯ୍ୟନ୍ତ ୨୪ ଜଣ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ନିଖୋଜ ଅଛନ୍ତି। ଚିତୁର ଜିଲ୍ଲା ଅନ୍ତର୍ଗତ ତିରୁପତିରେ ମଧ୍ୟ ନାହିଁନଥିବା କ୍ଷତି ଘଟିଛି।

ତିରୁମାଲା ପର୍ବତରୁ ବର୍ଷାଜଳ ପ୍ରବାହିତ ହେବା ଫଳରେ ପାଦଦେଶରେ ଥିବା ସ୍ୱର୍ଣ୍ଣମୁଖି ନଦୀରେ ବନ୍ୟା ଦେଖାଦେଇଛି। ପାହାଡ ଉପରେ ଅବସ୍ଥିତ ତିରୁପତି ଓ ତିରୁମାଲା ମନ୍ଦିରକୁ ଯାଇଥିବା ରାସ୍ତାକୁ ବନ୍ଦ କରାଯାଇଛି। ଜଳଭଣ୍ଡାରଗୁଡିକରେ ଜଳପତ୍ତନ ବିପଦ ସଙ୍କେତ ଟପିଯାଇଥିବାରୁ ଏହାକୁ ନିଷ୍କାସନ କରାଯାଉଛି। ବନ୍ୟାଜଳରେ ଫସିଯାଇଥିବା ରାଜ୍ୟ ସଡକ ପରିବହନ ନିଗମର ୩ଟି ବସ୍ ସମେ୍ ୧୨ ଜଣ ଲୋକଙ୍କୁ ଏନ୍‌ଡିଆରଏଫ୍ ଯବାନ ଉଦ୍ଧାର କରିଛନ୍ତି।

ବନ୍ୟା ଯୋଗୁଁ ଅଧିକାଂଶ ସଡକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଟ୍ରେନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। କଡପ୍ପା ବିମାନବନ୍ଦରକୁ ଆସନ୍ତା ୨୫ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଶନିବାର ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।