ଆସାମ ଓ ବିହାରରେ ବନ୍ୟା ବିତ୍ପାତ: ୩୭ ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଆସାମ ଓ ବିହାରରେ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର ରହିଥିବାବେଳେ ୩୭ ଲକ୍ଷରୁ ଅଧିକ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ କେବଳ ଆସାମର ୩୩ ଜିଲ୍ଲାରୁ ୨୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ବାରପେଟା, କୋକରାଝାର ଓ ମୋରିଗାଁଓରୁ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବାତ୍ୟା ଓ ଭୂସ୍ଖଳନ ଯୋଗୁ ଆସାମରେ ଚଳିତ ବର୍ଷ ୧୨୨ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ବିହାରରେ ପାଖାପାଖି ୧୦ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗର ରିପୋର୍ଟ ମୁତାବକ, ୧୦ଟି ଜିଲ୍ଲାର ୭୪ ବ୍ଲକର ୫୨୯ ପଞ୍ଚାୟତରେ ୯.୬୦ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ସୀତାମଢ଼ୀ, ଶିବହର, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ଖଗଡ଼ିଆ ସବୁଠୁ ଅଧିକ ପ୍ରଭାବିତ ହୋଇଛି।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନୋୱାଲଙ୍କ ସହ ଫନ୍ ଯୋଗେ କଥା ହୋଇଛନ୍ତି। ଏଥିସହିତ ରାଷ୍ଟ୍ରପତି ଭବନରୁ ଆସାମ, ବିହାର ଓ ଉତ୍ତରପ୍ରଦେଶର ବନ୍ୟା ଓ କରୋନା ପ୍ରଭାବିତ ଲୋକଙ୍କ ପାଇଁ ରେଡକ୍ରସ୍ ଆବଶ୍ୟକୀୟ ସାମଗ୍ରୀ ପଠାଇ ଦେଇଛନ୍ତି।