ଚେନ୍ନାଇରେ ପ୍ରବଳ ବର୍ଷା, ବିମାନ ସେବା ପ୍ରଭାବିତ

ଚେନ୍ନାଇ,ଏଜେନ୍ସି: ଚେନ୍ନାଇରେ ଲାଗି ରହିଛି ଭାରି ବୃଷ୍ଟିପାତ। ପୁରା ସହରରେ ବନ୍ୟା ସ୍ଥିତି ମଧ୍ୟ ଦେଖାଦେଇଛି। ରାସ୍ତାଘାଟରେ ପାଣି ଯମି ରହିଥିବାରୁ ଗାଡି ଚଳାଚଳ ଏକ ପ୍ରକାର ଠପ୍ ହୋଇ ଯାଇଛି ଚେନ୍ନାଇର କିଛି ଅଂଶରେ। ସ୍ଥିତି ବେହାଲ ହେବାରୁ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଚେନ୍ନାଇ ବିମାନ ବନ୍ଦରରେ ଭାରି ବର୍ଷା କାରଣରୁ ରନୱେରେ ଏୟାରକ୍ରାଫ୍ଟ ଲ୍ୟାଣ୍ଡିଂ ପାଇଁ ସମସ୍ୟା ଦେଖାଦେଉଥିବାରୁ ଆଜି ଅପରାହ୍ନ ୧.୧୫ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବିମାନ ଅବତରଣ ଉପରେ ରୋକ୍ ଲଗାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରୁ ପୁରା ତାମିଲନାଡୁରେ ବର୍ଷା ଲାଗି ରହିଛି। ଗତ କାଲି ଠାରୁ ଏହି ଭଳି ଲଗାଣ ବର୍ଷ ଫଳରେ ଏବେ ଉବୁଟୁବୁ ହୋଇପଡିଛି ଚେନ୍ନାଇ।

ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ସମେତ ପୁରା ତାମିଲନାଡୁରେ ଏବେ ଜରୁରୀ କାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏମିତିକି ଛୋଟ ବଡ଼ ଅଘଟଣରେ ବର୍ତମାନ ସୁଦ୍ଧା ୧୨ ଜଣଙ୍କ ଜୀବନ ଗଲାଣି ତାମିଲନାଡୁରେ।