ଗୁଆହାଟୀ : ଆସାମ ପୁଲିସ ଓ ଭାରତୀୟ ସେନାର ମିଳିତ ଅପରେସନ୍ ଫଳରେ ୫ ଜଣ ଉଲଫା ଉଗ୍ରବାଦୀ ଧରା ପଡ଼ିଛନ୍ତି। ଇଣ୍ଡୋ-ମ୍ୟାଁମାର ସୀମା ଦେଇ କିଛି ଉଗ୍ରବାଦୀ ଅନୁପ୍ରବେଶ କରି ଆସାମରେ ପହଞ୍ôଚଥିବା ସମ୍ପର୍କରେ ଗୁପ୍ତ ସମ୍ବାଦ ପାଇ ଆସାମ ପୁଲିସ ଓ ଭାରତୀୟ ସେନା ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ଉଗ୍ରବାଦୀମାନେ ଭାରତୀୟ ସେନାକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିବାର ପ୍ରଥମରୁ ଆଶଙ୍କା କରାଯାଉଥିଲା। କିନ୍ତୁ ପରେ ଗୁପ୍ତଚର ଅଧିକାରୀମାନେ ସୂଚନା ପାଇଥିଲେ ଯେ ଚରାଇଦେଓ ଜିଲ୍ଲାରେ ଉଲ୍ଫା ସଂଗଠନ ପକ୍ଷରୁ ମନୋନୟନ ପ୍ରକ୍ରିୟା ଚାଲିଛି। ଆସାମ ପୁଲିସ ଓ ସେନା ଆଖିରେ ଧୂଳି ଦେଇ ଉଗ୍ରବାଦୀମାନେ ପଳାଇ ଯିବାକୁ ଉଦ୍ୟମ କରୁଥିଲା ବେଳେ ତୈରାଇ ଗ୍ରାମରୁ ୫ ଜଣ ଧରାପଡ଼ିଥିଲେ। ଗିରଫ ଉଗ୍ରବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।