ବିଜେପିରେ ଯୋଗଦେଲେ ଟିଏମସିର ୫ ବିଧାୟକ

କୋଲକାତା, ଏଜେନ୍ସି: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଏକ ଶକ୍ତ ଝଟ୍କା ଲାଗିଛି। ତୃଣମୂଳ କଂଗ୍ରେସର ୫ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ଟିଏମସି ବିଧାୟକ ସୋନାଲି ଗୁହା, ଦୀପେନ୍ଦୁ ବିଶ୍ୱାସ, ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ଶୀତଲ କୁମାର ସର୍ଦ୍ଦାର ଓ ଯତୁ ଲାହିରି ସୋମବାର କୋଲକାତାରେ ବିଜେପିରେ ଯୋଗ ଦେଇଛନ୍ତି। ସେମାନେ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ, ଦଳର ଉପସଭାପତି ମୁକୁଲ ରୟ ଏବଂ ଦଳୀୟ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ବିଷୟ, ହବିବପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିଏମସିର ଟିକେଟ୍ ପାଇଥିବା ସାରଳା ମୁର୍ମୁ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଟିଏମସି ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ସ୍ଥାନ ପାଇବା ସତ୍ତେ୍ୱ ସେ ଦଳ ଛାଡ଼ିଛନ୍ତି।
ଗତ କିଛିମାସ ହେଲା ତୃଣମୂଳ କଂଗ୍ରେସର ବହୁ ନେତା ଓ କର୍ମୀ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସର ୨୯୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲାବେଳେ ବିଜେପି ଗତ ଶନିବାର ପ୍ରଥମ ଦଫାରେ ୫୭ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି। ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ କରିଛି। ତୃଣମୂଳ କଂଗ୍ରେସ ନେତ୍ରୀ ମମତାଙ୍କ ସହ ଶୁଭେନ୍ଦୁଙ୍କ ମୁକାବିଲା ହେବ। ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ।