ଟ୍ୱିନ୍ ସିଟିର ନୂଆ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ

ସୁଧାଂଶୁ ଷଡ଼ଙ୍ଗୀ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନର ସିଏମଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: କଟକ-ଭୁବନେଶ୍ୱର କମିଶନରେଟ ପୁଲିସର ନୂଆ ପୁଲିସ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ତଥା କ୍ରାଇମ ବ୍ରାଞ୍ଚର ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଏବେ କମିଶନର ଦାୟିତ୍ୱରେ ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତାଙ୍କ ପୁରୁଣା ସ୍ଥାନ ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମଡି ଭାବେ ବଦଳି କରାଯାଇଛି। ସେହିପରି ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମଡି ଥିବା ଏମ୍ ଅକ୍ଷୟଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ବଦଳି କରାଯାଇଛି। ଅଗ୍ନିଶମ ବିଭାଗର ଡିଜି ଥିବା ସତ୍ୟଜିତ୍ ମହାନ୍ତି ଗତ ମାସରେ ଓପିଏସ୍ସି ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ଏହି ପଦବୀ ଖାଲି ପଡିଥିଲା।
ନୂଆ କମିଶନର ଭାବେ ନିଯୁକ୍ତ ହେବା ପରେ ସୌମେନ୍ଦ୍ର କହିଛନ୍ତି, ମୋ ଉପରେ ଭରସା କରି ସରକାର ଏତେ ବଡ ଦାୟୀତ୍ୱ ଦେଇଥିବାରୁ ମୁ କୃତଜ୍ଞ। ଆଇନଶୃଙ୍ଖଳା ଓ ଅପରାଧ ରୋକିବା ଦିଗରେ ସବୁ ପ୍ରକାର ଚେଷ୍ଟା କରିବି ବୋଲି ସେ କହିଛନ୍ତି। ଆଇନକାନୁନ କଡ଼ାକଡ଼ି ପାଳନ କରିବା ସହ ଅପରାଧ ଦମନ କ୍ଷେତ୍ରରେ ସୌମେନ୍ଦ୍ରଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। ଏହି ଆଇପିଏସ୍ ଅଫିସର ୨୦୧୫ରେ ଶ୍ରୀ ଜଗନ୍ନାଥଙ୍କ ନବବକଳେବର ସମୟରେ ପୁରୀରେ ସୁରକ୍ଷା ଦାୟୀତ୍ୱରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେତେବେଳେ ସବୁ ବିଭାଗ ସହ ଯୋଗସୂତ୍ର ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖିବା ଯୋଗୁ ସୁରୁଖୁରୁରେ ନବକଳେବର ଶେଷ ହୋଇଥିଲା। ଗତ ବର୍ଷ କରୋନା ମହାମାରୀ ସମୟରେ ପୁଲିସ କର୍ମଚାରୀଙ୍କ ଅଭାଗ ଯୋଗୁ କେତକ ବରିଷ୍ଠ ପୁଲିସ ଅଧିକାରୀ ସେମାନଙ୍କର ପିଏସଓ ହଟାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ସୌମେନ୍ଦ୍ର ଥିଲେ ଅନ୍ୟତମ। ଏବେ ଦେଖିବାକୁ ଗଲେ କମିଶନରେଟ ପୁଲିସର ଦୁଇ ମୁଖ୍ୟ ପଦବୀରେ ପୁରୀର ଦୁଇ ପୂର୍ବତନ ଏସପି ଉମାଶଙ୍କର ଦାସ ଏବଂ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନିଯୁକ୍ତ କରାଯାଇଛି। ପୁରୀରେ ଏସ୍ପି ଭାବେ ସେ ପାଞ୍ଚ ବର୍ଷ କାର୍ଯ୍ୟ କରିଛନ୍ତି। ପାଖାପାଖି ୧୦ ବର୍ଷ ସେ ପୁରୀର ରଥଯାତ୍ରା ଦାୟୀତ୍ୱ ତୁଲାଇଛନ୍ତି। ଅପରାଧ ଦମନ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଥିବା ଯୋଗୁ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି ବୋଲି କୁହାଯାଉଛି। ରାଜଧାନୀରେ ବଢୁଥିବା ଅପରାଧ ଦମନ କ୍ଷେତ୍ରରେ ଏହି ନିଷ୍ପତ୍ତି ସହାୟକ ହେବ ବୋଲି କୁହାଯାଉଛି।