ଫିରୋଜ ଶହା କୋଟଲା ହେଲା ଅରୁଣ ଜେଟଲୀ ଷ୍ଟାଡିୟମ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ ଗୃହମନ୍ତ୍ରୀ ତଥା ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍(ଡିଡିସିଏ)ର ପୂର୍ବତନ ସଭାପତି ଅରୁଣ ଜେଟଲୀଙ୍କ ନାମରେ ଗୁରୁବାର ଏଠାରେ ଥିବା ଫିରୋଜ ଶାହ କୋଟଲା ଷ୍ଟାଡ଼ିୟମ ନାମିତ ହୋଇଛି। ଏବେ ଏହି ଷ୍ଟାଡ଼ିୟମ ଫିରୋଜ ଶାହା କୋଟଲା ଓ ଅରୁଣ ଜେଟଲୀ ଷ୍ଟାଡ଼ିୟମ ନାମରେ ପରିଚିତ ହେବ। ଏହାବ୍ୟତୀତ ଷ୍ଟାଡ଼ିୟମରେ ରହିଥିବା ଏକ ଷ୍ଟାଣ୍ଡର ଏକ ନାମ ବିରାଟ କୋହଲି ଷ୍ଟାଣ୍ଡରେ ନାମିତ କରାଯାଇଛି। ଗତ ଅଗଷ୍ଟରେ ମୃତ୍ୟୁ ବରଣ କରିଥିବା ଅରୁଣ ଜେଟଲୀ ୧୯୯୯ରୁ ୨୦୧୩ ମସିହା ପର୍ଯ୍ୟନ୍ତ ଡିଡିସିଏର ସଭାପତି ରହିଥିଲେ। ଜବାହାରଲାଲ ନେହରୁ ଷ୍ଟାଡିୟମର ୱେଟଲିଫ୍ଟିଙ୍ଗ ଅଡିଟୋରିୟମରେ ଅନୁଷ୍ଠିତ ଡିଡିସିଏ ବାର୍ଷିକ ପୁରସ୍କାର ଉତ୍ସବରେ ଏହା ଘୋଷଣା କରାଯାଇଛି। ଏଥିରେ ଡିଡିସିଏ ସଭାପତି ରଜତ ଶର୍ମା ଆର୍ଥିକ ଦୁର୍ବଳ ଶ୍ରେଣୀର କ୍ରିକେଟରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଦୁଇଟି ଏକାଡେମୀ ସ୍ଥାପନ କରାଯିବ ବୋଲି କହିଛନ୍ତି। ଏହାକୁ ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହ୍ୱାଗ, କପିଲ ଦେବ ଓ ଆଶିଷ ନେହରା ସହାୟତା କରିବେ। ଏଥିରେ ପିଲାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ କ୍ରିକେଟ କ୍ୟାରିୟର ଗଢ଼ିବା ପାଇଁ ପ୍ରୋତ୍ସାହନ ଦିଆଯିବ। ଏହି ଏକାଡେମୀ କରିବା ସ୍ୱପ୍ନ ଅରୁଣ ଜେଟଲୀଙ୍କର ରହିଥିଲା ଏବଂ ଏହା ଏବେ ସତ ହେବ ବୋଲି ତାଙ୍କ ବନ୍ଧୁ ରଜତ ଶର୍ମା ପ୍ରକାଶ କରିଛନ୍ତି। ଏହାବ୍ୟତୀତ ଦିଲ୍ଲୀର ଘରୋଇ କ୍ରିକେଟରଙ୍କ ପାଇଁ ଜୀବନବିମା କରାଯିବ ଏବଂ ପୂର୍ବତନ କ୍ରିକେଟରଙ୍କ ଜରୁରୀ କାଳିନ ପରିସ୍ଥିତିରେ ୫ ଲକ୍ଷ ଟଙ୍କା ମେଡିକାଲ ଖର୍ଚ୍ଚ ପାଇଁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।