ଗଭୀର କୂଅ ଭିତରୁ ଗାଈକୁ ଉଦ୍ଧାର କଲା ଦମକଳ ବାହିନୀ

ବାଲିଗୁଡା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍‌ ମହାସିଙ୍ଗି ପଞ୍ଚାୟତ ଗ୍ରାମ ରୋଜଗାର ସେବକ କେଶବ ଚନ୍ଦ୍ର କାମ୍ପ କୌଣସି ଏକ କାର୍ଯ୍ୟରେ ପେନାକେତା ଗ୍ରାମକୁ ଯାଇଥିବା ବେଳେ ଗ୍ରାମରେ ଥିବା ଏକ କୂଅ ଭିତରେ ଏକ ଗାଈ ପଡ଼ିଥିବା ଜାଣିପାରିଥିଲେ। ସେ ଗାଈଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ଆହତ ମଧ୍ୟ ହୋଇଥିଲେ। କିନ୍ତୁ ୨୫ ଫୁଟ୍‌ ଭିତରୁ ଗାଈକୁ ଉଦ୍ଧାର କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା।

ଏହାପରେ ସେ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ। ଦମକଳ ବାହିନୀ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଗାଈଟିକୁ ଗଭୀର କୂଅରୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ସହ ସରପଞ୍ଚ ରଞ୍ଜିତ ମଳିକ, ରହିମ ନାୟକ ଓ ଗ୍ରାମବାସୀ ପ୍ରମୁଖ ସାମିଲ ହୋଇଥିଲେ।