ବିନା ଫିଟନେସରେ ଚାଲିଛି ଦମକଳ ଗାଡ଼ି

ଦେବଗଡ଼,ଏନ୍ଏନ୍ଏସ୍ : ରାଜ୍ୟ ସରକାର ଅଗ୍ନିଶମ ବିଭାଗକୁ ଏନଡ଼ିଆରଏଫ ସହ ମିଶାଇ ବିଭାଗର ଆଧୁନିକୀକରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଦେବଗଡ଼ ଜିଲ୍ଲାରେ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି । ଦେବଗଡ଼ ଜିଲ୍ଲା ମୁଖ୍ୟାଳୟ ସମେତ ୩ଟି ବ୍ଲକର ୩ଲକ୍ଷ ୧୪ହଜାର ଅଧିବାସୀ ଓ ୭ହଜାର ୭୪୪ ଗ୍ରାମ ପାଇଁ ୩ଟି ଦମକଳ କେନ୍ଦ୍ର ଓ ୮ଟି ଦମକଳ ଗାଡ଼ି ରହିଛି। ଦେବଗଡ଼ ମୁଖ୍ୟାଳୟସ୍ଥିତ ଦମକଳ କେନ୍ଦ୍ରରେ ୪ଟି ଦମକଳ ଗାଡ଼ି ରହିଥିବାବେଳେ ବାରକୋଟ ଓ ରିଆମାଳ ବ୍ଲକରେ ଥିବା ଦମକଳ କେନ୍ଦ୍ରରେ ୨ଟି ଲେଖାଏଁ ଦମକଳ ଗାଡ଼ି ରହିଛି। ଅଗ୍ନିକାଣ୍ଡ ଅପେକ୍ଷା ଜିଲ୍ଲାରେ ୪ଟି ଜାତୀୟ ରାଜପଥ ଯାଇଥିବାରୁ ରାସ୍ତା ଦୁର୍ଘଟଣାରେ ଦମକଳ ଗାଡ଼ି ଅଧିକ ବ୍ୟବହାର ହୋଇଥାଏ। ମାତ୍ର ରାଜ୍ୟସ୍ତରୀୟ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଅଣଦେଖା ଯୋଗୁ ଦେବଗଡ଼ ଅଗ୍ନିଶମ ବିଭାଗ ଅବହେଳିତ ହୋଇ ପଡ଼ିରହିଛି। ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ପାଇଁ ବିଭାଗ ପାଖରେ ଆଧୁନିକ ଉପକରଣ ଅଭାବ ସାଙ୍ଗକୁ ବିଭାଗୀୟ ଗାଡ଼ି ୨୦ ବର୍ଷ ପୁରୁଣା ହୋଇଥିବା ଯୋଗୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ବିଭାଗୀୟ କର୍ମଚାରୀ ନାହିଁନଥିବା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।

ସେହିପରି ବାରକୋଟ ଦମକଳ କେନ୍ଦ୍ରରେ ରହିଥିବା ୨ଟି ଯାକ ଗାଡ଼ିର ଫିଟନେସ ନଥିବା ସତ୍ୱେ ବାଧ୍ୟରେ ଚଲାଇବାକୁ ପଡ଼ୁଛି। ଉକ୍ତ ଗାଡ଼ିର ଚାଳକ ସିଟରୁ ନଡ଼ିଆ କତା ଓ ସ୍ପଞ୍ଜ ଆଦି ନଷ୍ଟ ହୋଇ ବାହାରକୁ ବାହାରି ପଡ଼ିଥିବା ବେଳେ ଗାଡ଼ି ପଛରେ ବାଉଁଶ ବାନ୍ଧି ପାଲ ଟାଣି ସେଥିରେ ବସି କର୍ମଚାରୀ ଉଦ୍ଧାର କାର୍ୟ୍ୟ କରୁଛନ୍ତି। ସେହିପରି ଜିଲ୍ଲା ମୁଖ୍ୟାଳୟରେ ଥିବା ଗାଡ଼ି ଗୁଡ଼ିକର ବ୍ୟାଟେରୀ ସମସ୍ୟା ଯୋଗୁ ଅନେକ ସମୟରେ ଜରୁରୀ ପରିସ୍ଥିତିରେ ଉଦ୍ଧାର କାର୍ୟ୍ୟକୁ ଯିବା ପୂର୍ବରୁ ଗାଡି ଷ୍ଟାର୍ଟ କରିବାରେ କର୍ମଚାରୀଙ୍କୁ ଅନେକ ପରିଶ୍ରମ କରିବାକୁ ପଡୁଛି। ସର୍ବଦା ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ କରୁଥିବା ଅଗ୍ନିଶମ ବିଭାଗର ଏଭଳି ଦୟନୀୟ ପରିସ୍ଥିତି ବିଭାଗୀୟ ଆଧୁନିକୀକରଣର ଅସଲ ମୁଖା ଖୋଲିଦେଇଛି। ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।