ମାଲକାନଗିରି,ଏନ୍ଏନ୍ଏସ୍: ଚାର୍ଜରେ ବସିଥିଲା ମୋବାଇଲ, ହଠାତ ଫାଟି ଯାଇ ଲାଗିଗଲା ନିଆଁ। ଆଉ ସେ ନିଆ ଏତେ ଭୟଙ୍କର ଥିଲା ଯେ ଗୋଟିଏ ଘରକୁ ନିଜର ଆୟତ୍ତକୁ ନେଇ ଜାଳିଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି-୭୯ ଗ୍ରାମରେ। ଆଜି ସକାଳ ପ୍ରାୟ ୯ଟା ସମୟରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି-୭୯ ଇରିଗେସନ କଲୋନୀରେ ରହୁଥିବା ବନିତା ବେହେରାଙ୍କ ଘରେ ଏକ ମୋବାଇଲ ଫୋନ ଚାର୍ଜରେ ବସିଥିବାବେଳେ ଅଚାନକ ଫାଟି ଥିଲା। ଫଳରେ ଘରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ବହୁ ଆସବାବ ପତ୍ର ଜଳିଯାଇଛି।
ନିଆଁ ଲାଗିବା ସମୟରେ ଭାଗ୍ୟବଶତଃ ସେହି ରୁମରେ କେହି ନଥିଲେ। ଘରେ ନିଆଁ ଲାଗିଥିବା ଜାଣି ପରିବାର ଲୋକ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ପରେ ପଡ଼ୋଶୀମାନଙ୍କ ସହାୟତାରେ ପରିବାର ଲୋକେ ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ସ୍ଥାନୀୟ ଅତିରିକ୍ତ ରାଜସ୍ୱ ନିରୀକ୍ଷକ କାହୁଁ ଚରଣ ସ୍ଵାଇଁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଆସବାବ ପତ୍ର ଜଳି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।