ଅପରାଧୀ ଘରେ ଲାଗିଲା ନିଆଁ, ୨ ଗୁରୁତର

ଝାରସୁଗୁଡା,ଏନ୍ଏନ୍ଏସ୍: କୁଖ୍ୟାତ ଅପରାଧୀ ସୋନୁ ଘୋଷଙ୍କ ବ୍ରଜରାଜନଗର ଘରେ ଆଜି ସକାଳେ ନିଆଁ ଲାଗିବାରୁ ତାଙ୍କ ପତ୍ନୀ ପ୍ରିୟା ଘୋଷ ପୋଡିହୋଇ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡରେ ପ୍ରିୟାଙ୍କ ଶରୀରର ୪୦ ପ୍ରତିଶତ ପୋଡିଯାଇଥିବା ପୁଲିସ ସୂଚନା ଦେଇଛି। ସେହିପରି ତାଙ୍କ ଘରେ ଭଡା ରହୁଥିବା ଅନ୍ୟ ଜଣେ ମହିଳା ମମତା ପାତ୍ର ମଧ୍ୟ ନିଆଁରେ ପୋଡି ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରଣ କରାଯାଇଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ ସୂଚନା ଦେଇଛନ୍ତି।

ଶୋଇବା ଘର, ପୂଜା ଘର ଓ ଡ୍ରଇଂ ରୁମରେ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସେପଟେ ନିଆଁ ଲାଗିବାରୁ ଘରର ଅନେକ ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି। ଅପରପକ୍ଷେ ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ ଘଟଣାସ୍ଥଳ ପରିଦର୍ଶନ କରି ସାରିବା ପରେ ଅଧିକ ତଦନ୍ତ ସକାଶେ ରାଉରକେଲା ଆଇଜିଏଚକୁ ବାହାରି ଥିବା ଖବର ମିଳିଛି।