ଚାରି ପରିବାରର ଆଠ ବଖରା ଘର ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଅନୁଗୋଳ,ଏନ୍ଏନ୍ଏସ୍ : ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବ ପାଟଣା ସାହିରେ ଭୟାଭୟ ଅଗ୍ନିକାଣ୍ଡ ଘଟି ଚାରଟି ପରିବାରର ଆଠ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ସୁଚନା ଅନୁଯାୟୀ ଚିନ୍ତା ବେହେରା ପିତା – ଅରକ୍ଷିତ ବେହେରା , ବାବାଜୀ ବେହେରା ପିତା -ପବିତ୍ର ବେହେରା, ଜାନକୀ ବେହେରା ପିତା – ରବି ବେହେରା, ଭମ୍ବର ବେହେରା ପିତା – ଭାଇଗ ବେହେରା ସର୍ବସାନ୍ତ ହୋଇଯାଇଛନ୍ତି ।

ଜାନକୀ ବେହେରାଙ୍କର ଝିଅ ବାହାଘର ପାଇଁ ସମସ୍ତ ଜିନିଷ ପତ୍ର ଯଥା ବାସନ ସାମଗ୍ରୀ,ଖାଇବା ସାମଗ୍ରୀ, ଲୁଗାପଟା, ସୁନା, ରୂପା, ପ୍ରାୟ ୩୦ ହଜାର ଟଙ୍କା, ଗ୍ୟାସ୍ ଓ ବିଭାଘର ପାଇଁ କିଣି ଥିବା ସାମଗ୍ରୀ ପୋଡି ଛାରଖାର ହୋଇଯାଇଛି । ସତରେ ଯେମିତି ମୁଣ୍ଡରେ ପଥର ପଡିଛି, କୋହଭରା କଣ୍ଠରେ ପରିବାର ବର୍ଗ ଆକୂଳ ନିବେଦନ କରୁଛନ୍ତି । ସରକାରୀ ସାହାଯ୍ୟ ଦେବାସହିତ ଭାତ ମୋଠିଏ ଖାଇବା ପାଇଁ ବ୍ୟାକୁଳ ହେଉଛନ୍ତି । ଅନୁଗୋଳ ଜିଲ୍ଲାରେ କଳକାରଖାନା ଗଢି ଉଠିଥିବାବେଳେ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ସତେ ଯେମିତି ବେହେରା ପରିବାରଙ୍କୁ ସହାୟତା ପ୍ରଦାନ କରିବାରେ ବିଫଳ ହୋଇଛି । ଏଠି ‘ମୋ ସରକାର’ ଏକ ପ୍ରକାରର ସ୍ଥାଣୁ ପାଲଟି ଯାଇଛି । ଜିଲ୍ଲା ପ୍ରଶାସନ ଓ ୫ଞ କାହା ପାଇଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ରାତି ତିନିଟା ଠାରୁ ଦିନ ୧୦ଟା ପର୍ୟ୍ୟନ୍ତ ନା ଜିଲ୍ଲା ପ୍ରଶାସନ ନା ଲୋକ ପ୍ରତିନିଧିର ସାହାଯ୍ୟ ସହଯୋଗ ମିଳିନଥିବା ଅଭିଯୋଗ ହୋଇଛି । ଏ ବିଷୟରେ ବଅଁରପାଳ ତହସିଲଦାର ମହୋଦୟଙ୍କୁ ଯୋଗାଯୋଗ କରିବାରୁ ସେ ପତିକ୍ରିୟା ଦେଇ କହିଛନ୍ତି ଯେ ଜଣେ ଅମିନଙ୍କୁ ଘରପୋଡି କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।