କାଠମାଣ୍ଡୁ,ଏଜେନ୍ସି: ଗତ ରବିବାର ନେପାଳର ତାରା ଏୟାର ଲାଇନ୍ସ ଦୁର୍ଘଟଣାରେ ପ୍ରାଣ ହରାଇଥବା ୪ ଓଡିଆଙ୍କ ସମେତ ସମସ୍ତ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି ନେପାଳ ରାଜଧାନୀ କାଠମାଣ୍ଡୁସ୍ଥିତ ପଶୁପତିନାଥ ମନ୍ଦିର ପରିସରରେ ସମସ୍ତ ୪ ଓଡିଆ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ମଙ୍ଗଳବାର ଏକ ଦୀର୍ଘ ସମୟର ସର୍ଚ୍ଚ ଅପରେସନ ପରେ ସମସ୍ତ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ସରିବା ପରେ ଆଜି ସମସ୍ତ ମୃତଦେହକୁ ରାଜଧାନୀ କାଠମାଣ୍ଡୁକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ମଙ୍ଗଳବାର ଶେଷ ମୃତଦେହକୁ ମିଶାଇ ସମସ୍ତ ୨୨ ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କ ଦେହାବଶେଷ ଉଦ୍ଧାର କରିଥିଲା ସେନା। ରବିବାର ସକାଳେ ଏହି ବିମାଟି ମୁସ୍ତାଙ୍ଗ ଜିଲ୍ଲାର ପୋଖରାରୁ ଉଡ଼ାଣ ଭରିବାର କିଛି ସମୟ ପରେ ରାଡାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଥିରେ ୩ କ୍ର୍ୟୁ ସଦସ୍ୟଙ୍କ ବ୍ୟତୀତ ୪ ଭାରତୀୟ, ୨ ଜର୍ମାନ ଏବଂ ୧୩ ଜଣ ନେପାଳୀ ନାଗରିକଙ୍କୁ ମିଶାଇ ମୋଟ ୨୨ ଜଣ ଯାତ୍ରା କରୁଥିଲେ। ବିମାନଟି ସମୁଦ୍ର ପତନରୁ ପ୍ରାୟ ୧୪ ହଜାର ଫୁଟ ଉପରେ ଉଡୁଥିବାବେଳେ ପ୍ରତିକୂଳ ପାଗ ଯୋଗୁଁ ଭୁଲ ଦିଗକୁ ମୋଡ ନେଇ ପାହାଡରେ ଧକ୍କା ଖାଇଥିବା ସନ୍ଦେହ କରାଯାଉଛି।