ଏଫଆଇଏଚ ହକି ମହିଳା ନେସନ୍ସ କପ୍‌: ସ୍ପେନକୁ ହରାଇ ଭାରତ ଚମ୍ପିଆ

ଭାଲେନସିଆ (ସ୍ପେନ),ଏଜେନ୍ସି: ବିଜୟରୁ ଅଭିଯାନ ଆରମ୍ଭ ଓ ବିଜୟରେ ଶେଷ । ଏଫଆଇଏଚ ହକି ମହିଳା ନେସନ୍ସ କପ ଟାଇଟଲ ହାତେଇଛି ଭାରତ । ଫାଇନାଲ ମୁକାବିଲାରେ ୧-୦ ଗୋଲରେ ସ୍ପେନକୁ ହରାଇ ଚମ୍ପିଆନ ହୋଇଛି ଭାରତୀୟ ମହିଳା ହକି ଦଳ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜୟ ରହିଥିଲା । ଏହି ସଫଳତା ସହିତ ଭାରତ ମହିଳା ପ୍ରୋ ଲିଗ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ଶନିବାର ଅନୁଷ୍ଠିତ ଫାଇନାଲ ଫାଇଟ ବେଶ ରୋମାଞ୍ଚକର ହୋଇଥିଲା । ଭାରତ ପକ୍ଷରୁ ଗୁରଜିତ କୌର ମ୍ୟାଚର ୬ଷ୍ଠ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟର ହୋଇଥିଲା । ୮ ଦଳକୁ ନେଇ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ ୫ମ ବିଜୟ ସହ ଚମ୍ପିଆନ ହୋଇଛି । ସେମିଫାଇନାଲରେ ଭାରତ ଆୟର୍ଲାଣ୍ଡକୁ ୨-୧ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚରେ ସ୍ପେନ ଖାତା ଖୋଲି ପାରି ନଥିଲା । ସ୍ପେନ ପ୍ରଥମେ ପେନାଲ୍ଟି କର୍ଣ୍ଣର ପାଇଥିଲେ ବି ଭାରତୀୟ ଦଳର ଅଧନାୟିକା ତଥା ଗୋଲକିପର ସବିତା ପୁନିଆ ଚମତ୍କାର ଢଙ୍ଗରେ ଗୋଲ ରକ୍ଷା କରିଥିଲେ । ଫଳରେ ଭାରତର ଆଶା ଉଜ୍ଜୀବିତ ହୋଇଥିଲା । ମ୍ୟାଚର ଷଷ୍ଠ ମିନିଟରେ ଭାରତ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇଥିଲା ଏବଂ ଏହାକୁ ଗୋଲରେ ପରିଣତ କରିଥିଲା । ଶେଷରେ ଭାରତ ଗୋଟିଏ ଗୋଲରେ ଅଗ୍ରଣୀ ରହି ବାଜି ମାରିଥିଲା ।

ପୁଲ ମ୍ୟାଚରେ ପ୍ରଥମ ମ୍ୟାଚରେ ଚିଲିକୁ ହରାଇ ଅଭିଯାନ ଆରମ୍ଭ କରିଥିଲା ଦଳ । ଏହାପରେ ଜାପାନକୁ ହରାଇଥିଲା । ତୃତୀୟ ପୁଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ସେମିରେ ପ୍ରବେଶ କରିଥିଲା ଭାରତୀୟ ମହିଳା ହକି ଦଳ । ସେମି ଫାଇନାଲରେ ଆୟର୍ଲାଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଏଫଆଇଏଚ ହକି ମହିଳା ନେସନ୍ସ କପ ବିଜେତା ସହ ମହିଳା ହକି ଲିଗ୍ ୨୦୨୩-୨୪ ପାଇଁ ଯୋଗ୍ୟତା ଅର୍ଜନ କରିିଛି ଭାରତ । ହକି ଇଣ୍ଡିଆ ପକ୍ଷରୁ ବିଜେତା ଦଳ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଛି । ଦଳର ପ୍ରତି ଖେଳାଳିଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଥିବା ବେଳେ ଦଳ ପ୍ରତି ଷ୍ଟାଫଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି ମିଳିଛି ।