ଭାରତର ଲଗାତାର ଦ୍ବିତୀୟ ବିଜୟ, ହାରିଲା ଜାପାନ

ଭାଲେନସିଆ (ସ୍ପେନ),ଏଜେନ୍ସି: ମହିଳା ହକି ନେସନ୍ସ କପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ବିଜୟ ଧାରା ବଜାୟ ରଖିଛି ଭାରତୀୟ ଦଳ । ସୋମବାର ଜାପାନ ବିପକ୍ଷ ମୁକାବିଲାରେ ବିଜୟ ହାସଲ କରି ଲଗାତାର ଦ୍ବିତୀୟ ମୁକାବିଲା କବଜାରେ କରିବା ସହ ସେମିଫାଇନାଲ ନିକଟତର ହୋଇଛି ଭାରତ । ଦ୍ବିତୀୟ ପୁଲ ମ୍ୟାଚରେ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଛି ଦଳ । ଏହା ପୂର୍ବରୁ ଚିଲିକୁ ୩-୧ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଭାରତ ।

ମ୍ୟାଚର ପ୍ରଥମ ୫ମିନିଟ ଭାରତ ପକ୍ଷରୁ ସାଲିମା ଟେଟେ ସ୍କୋର୍ କରିଥିଲେ । ୪୦ତମ ମିନିଟରେ ବିୟୁଟି ଡୁଙ୍ଗଡୁଙ୍ଗଙ୍କ ଗୋଲରେ ଭାରତ ୨-୦ରେ ଆଗୁଆ ରହିଥିଲା । ଅନ୍ତିମ କ୍ବାର୍ଟରରେ ଜାପାନ ଦୃଢ କମବ୍ୟାକ କରିଥିଲା । ଦଳ ପକ୍ଷରୁ ରୁଇ ତାକାଶିମା ୪୯ ତମ ମିନିଟରେ ଏକ ଗୋଲ କରିବାରେ ସଫଳ ହୋଇଥିଲେ । ହେଲେ ଆଉ ଏକ ଗୋଲ୍ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିବାକୁ ଯେତେ ଚେଷ୍ଟ କରିଥିଲେ ବି ଦଳକୁ ସଫଳତା ମିଳିନଥିଲା । ଫଳରେ ମ୍ୟାଚଟିକୁ ୨-୧ରେ ଜିତି ନେଇଥିଲା ଭାରତ । ସବୁତା ପୁନିଆଙ୍କ ନେତୃତ୍ବଧୀନ ଦଳ ଏବେ ଦୁଇଟି ମ୍ୟାଚରେ ବିଜୟ ହାସଲ କରି ୬ ପଏଣ୍ଟ ସହ ପୁଲ ବି’ର ଶୀର୍ଷରେ ରହିଛି । ସେମି ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଦଳକୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାକୁ ଜିତିବାକୁ ହେବ ।

୨୦୧୮ ଏସିଆନ ଗେମ୍ସ ଫାଇନାଲରେ ଜାପାନଠୁ ପରାସ୍ତ ହୋଇଥିବା ଭାରତ । ପୂର୍ବ ତ୍ରୁଟିକୁ ସୁଧାରି ନେଶନ୍ସ କପରେ ଜାପାନକୁ ହରାଇ ବିଜୟଧାରା ବଜାୟ ରଖିଛି ଦଳ । ଏହାର ଶେଷ ଲିଗ ମ୍ୟାଚ ଡିସେମ୍ବର ୧୪ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । ୧୬ ଓ ୧୭ରେ ନକଆଉଟ ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ଇଭେଣ୍ଟରେ ଚମ୍ପିଆନ ଦଳ ଏଫଆଇଏଚ ମହିଳା ହକି ଲିଗ୍ ୨୦୨୩-୨୪ ପାଇଁ ଯୋଗ୍ୟତା ଅର୍ଜନ କରିବ । ୮ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ।