କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ, ୨ ଗିରଫ

ବରଗଡ଼,ଏନ୍ଏନ୍ଏସ୍: କ୍ରିକେଟ ଖେଳରେ ହାରିଯିବାରୁ ଏୟାରଗନରେ ମାରିଦେବାକୁ ଧମକ ଦେଇ ଦୁଇଜଣ ଯୁବକ ଗିରଫ ହେବା ଘଟଣା ବରଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ ଯୁବକମାନେ ହେଲେ ହେଲେସରସରା ଗ୍ରାମର ନିରଜ ଓରଫ କାଳିଆ ଖମାରୀ ଏବଂ ରିଙ୍କୁ ଖମାରୀ। ଅଭିଯୁକ୍ତଙ୍କଠାରୁ ପୁଲିସ ଗୋଟିଏ ଏୟାରଗନ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନାନୁଯାୟୀ, ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରାରେ ଚାଲିଥିବା ଏକ କ୍ରିକେଟ ମ୍ୟାଚରେ ଗୋଟିଏ ଦଳ କମ୍ ସ୍କୋର କରିଥିବା ବେଳେ ବିପକ୍ଷ ଦଳ ଗୋଟିଏ ଓଭର ଥାଇ ଆବଶ୍ୟକ ରନ କରି ବିଜୟୀ ହୋଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପ୍ରଥମେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ହାରି ଯାଇଥିବା ଦଳରେ ଖେଳୁଥିବା ଜଣେ ଯୁବକଙ୍କ ଭାଇ ନିରଜ ଓ ରିଙ୍କୁ ଏୟାରଗନରେ ବିଜେତା ଦଳକୁ ଧମକ ଦେଇଥିଲେ। ଏନେଇ ଅଭିଯୋଗ ହେବାପରେ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ସରସରା ଗ୍ରାମର ନିରଜ ଓ ରିଙ୍କୁକୁ ଗିରଫ କରିଥିବା ନେଇ ସଦର ଥାନା ଅଧିକାରୀ ଦିଲ୍ଲୀପ ବେହେରା ସୂଚନା ଦେଇଛନ୍ତି ।