ଫିଫା ବିଶ୍ବକପ୍: ଆଜି ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ ଫାଇଟ

ଦୋହା,ଏଜେନ୍ସି: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଫ୍ୟାନ୍ସଙ୍କ ସମର୍ଥନରେ କମ୍ପିବ କତାର ଲୁସାଇଲ ଷ୍ଟାଡିୟମ । ମଇଦାନରେ ଥିବେ ନାଲି ଓ ଆକାଶିଆ ରଙ୍ଗର ଜର୍ସି ପିନ୍ଧିଥିବା ଦୁଇଦଳ । ସୁନା ପରି ଚିକମିକ କରୁଥିବା ଫିଫା ବିଶ୍ବକପ ଟ୍ରଫି ପାଇଁ ଦୁଇଦଳ ମଧ୍ୟରେ ହେବ ମୁକାବିଲା । ଚଳିତ ଫିଫା ବିଶ୍ବକପ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି (ରବିବାର) ଖେଳାଯିବା ଫିଫା ବିଶ୍ବକପର ଫାଇନାଲ ମ୍ୟାଚ । ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ହେବ ମହାମୁକାବିଲା । ଆର୍ଜେଣ୍ଟିନାର ଏହା ଷଷ୍ଠ ଫାଇନାଲ ମୁକାବିଲା ହୋଇଥିବା ବେଳେ ଫ୍ରାନ୍ସର ଏହା ଚତୁର୍ଥ । କିଏ ମାରିବ ବାଜି ଆଉ ହେବ ଶ୍ରେଷ୍ଠ ଦଳ ତାହାକୁ ଅପେକ୍ଷା ।

ଦୀର୍ଘ ୨୮ ଦିନ ଓ ୬୩ଟି ମୁକାବିଲା ପରେ ଲୋକପ୍ରିୟ ଖେଳ ଫୁଟବଲର ବିଶ୍ବକପ ଫାଇନାଲ ମ୍ୟାଚ ଆଜି ଖେଳାଯିବ । ଟ୍ରଫି ହାତେଇବାକୁ ଦୁଇ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଫ୍ରାନ୍ସ ପରସ୍ପରକୁ ଭେଟିବେ । ଦୁଇଦଳ ଫିଫା ବିଶ୍ବକପକୁ ଦୁଇଥର ଲେଖାଏଁ ବିଜୟୀ ହୋଇଛନ୍ତି । ସେହପରି ଆର୍ଜେଣ୍ଟିନାର ଏହା ଷଷ୍ଠ ଫାଇନାଲ ମୁକାବିଲା ହୋଇଥିବା ବେଳେ ଫ୍ରାନ୍ସର ଏହା ଚତୁର୍ଥ । ତୃତୀୟ ଟାଇଟଲ ହାତେଇବାକୁ ଦୁଇ ଦଳ ମଧ୍ୟରେ ଜବରଦସ୍ତ ଫାଇଟ ।

ଅନ୍ୟପଟେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଯଦି ଏହି ଟାଇଟଲ ଜିତୁଛି ଏହା ତାର କ୍ରମାଗତ ଦ୍ବିତୀୟ ବିଜୟ ହେବ । ଆଜି କିଏ ଟ୍ରଫି ଜିତିବ ତାକୁ ଅନେଇ ବସିଛନ୍ତି ଫ୍ୟାନ୍ସ । ଲିଓନେଲ ମେସିଙ୍କ ଶକ୍ତିଶାଳୀ ଆର୍ଜେଣ୍ଟିନା ଓ କୁଶଳୀ ଫରାସୀଙ୍କ ଫ୍ରାନ୍ସ ମଧ୍ୟରେ ଆଜି ହେବାକୁ ଥିବା ଲଢେଇର ଦମଦାର ରଣନୀତି ପ୍ରସ୍ତୁତ ହୋଇଛି । ବିଶ୍ବକପରେ ଲିଓନେଲ ମେସି ସ୍ବତନ୍ତ୍ର ସ୍ଥାନ ସୃଷ୍ଟି ପାଇଁ ଆର୍ଜେଣ୍ଟିନା ଟାଇଟଲ ଜିତୁ ବୋଲି ସମର୍ଥକଙ୍କ ଆଶା ରହିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ସେ ସର୍ବାଧିକ ୫ଟି ଗୋଲ ଓ ଏକାଧିକ ଗୋଲ କରାଇବାରେ ସହାୟକ ହୋଇ ଚର୍ଚ୍ଚାରେ ରହିଛନ୍ତି ।

ଫାଇନାଲରେ ମେସିଙ୍କ ମ୍ୟାଜିକ ଦେଖିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏହି ଟୁର୍ଣ୍ଣାମେଣ୍ଟରେ ୨୧ଟି ସଂସ୍କରଣ ଆୟୋଜିତ ହୋଇସାରିଛି । ଦୁଇଟି ମହାଦେଶ ଯଥା ୟୁରୋପ ଓ ଦକ୍ଷିଣ ଆମେରିକୀୟ ଦଳଗୁଡିକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି । ଏହି ୨୧ଟି ସଂସ୍କରଣ ମଧ୍ୟରୁ ୟୁରୋପ ୧୨ଟି, ଦକ୍ଷିଣ ଆମେରିକା ୯ଟି ଟାଇଟଲ ଜିତିଛି ।