ଦେବଗଡ଼,ଏନ୍ଏନ୍ଏସ୍: ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନା ଯୋଗୁଁ ପାର୍ବଣର ଉତ୍ସାହ ମଳିନ ପଡିବା ପରେ ଚଳିତବର୍ଷ ଜାକଜମକରେ ପୂଜା ପାଳନ ହେଉଛି। ଏହି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ଦେଖାଦେଇଛି ପାର୍ବଣର ଉତ୍ସାହ। ଜଗତ ଜନନୀ ମା’ ଦୁର୍ଗାଙ୍କ ଆବାହନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପୂଜା ମଣ୍ଡପରେ ଘଣ୍ଟ, ଶଙ୍ଖ ତାଳରେ ପୂଜକଙ୍କ ମନ୍ତ୍ରଚାରଣ ସହ ଝୁଣା ଓ ହୋମ କୁଣ୍ଡର ପବିତ୍ର ବାସ୍ନା ଶ୍ରଦ୍ଧାଳୁଙ୍କ ମନରେ ସୃଷ୍ଟି କରିଛି ଭକ୍ତିର ଉନ୍ମାଦନା। ଦେବଗଡ଼ ଜିଲ୍ଲାର ଗାଁ’ଠୁ ସହର ଆରମ୍ଭ ହୋଇଛି ମା’ ଦୁର୍ଗାଙ୍କ ଆରଧନା।
ଦେବଗଡ଼ ସହରର ଉତ୍କଳ ଦୁର୍ଗାପୂଜା କମିଟି, ଫ୍ରେଣ୍ଡ୍ସ କ୍ଲବ୍, ଜୟଦୁର୍ଗା କ୍ଲବ୍, ସାର୍ବଜନୀନ ଦୁର୍ଗା ପୂଜା କମିଟି, ମନୋରମା କ୍ଲବ୍, ମା’ ଦକ୍ଷିଣକାଳୀ ପୂଜା କମିଟି ସମେତ ମା’ଙ୍କ ବିଭିନ୍ନ ପୀଠରେ ଆୟୋଜିତ ହୋଇଛି ଦୁର୍ଗା ପୂଜା। ଆଜି ମହାଷ୍ଟମୀ ଉପଲକ୍ଷେ ରୀତିନିତି ଅନୁଯାୟୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ବିଭିନ୍ନ ପୂଜା କମିଟି ପକ୍ଷରୁ ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ଶୁଖିଲା ପାଗ ଯୋଗୁଁ ସମସ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖାଯାଇଛି।