ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢ଼ଉ ଘଟଣା: ନ୍ୟୁକ୍ଲିୟର କାଗଜପତ୍ର ଯାଞ୍ଚ ପାଇଁ ପହଞ୍ଚିଥିଲା ଏଫ୍‌ବିଆଇ

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକୀୟ ତଦନ୍ତ ସଂସ୍ଥା ଏଫ୍‌ବିଆଇ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ଘର ଉପରେ ଚଢ଼ଉ କରାଯିବା ମାମଲାର ଖୁଲାସା ହୋଇଛି । କୁହାଯାଉଛି ଯେ, ଏଫ୍‌ବିଆଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘର ଉପରେ ଚଢ଼ଉ କରି ନ୍ୟୁକ୍ଲିୟର ସଂପର୍କିତ କାଗଜପତ୍ର ସମେତ ଅନ୍ୟ ସାମଗ୍ରୀର ଯାଞ୍ଚ ପାଇଁ ଯାଇଥିଲା । ୱାଶିଂଟନ ପୋଷ୍ଟ ସୂତ୍ରରୁ ଜାତୀୟ ଗଣମାଧ୍ୟମ ଏହି ରିପୋର୍ଟ କରିଛି ।

ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋ ରିସର୍ଟ ଉପରେ ଏଫବିଆଇ ଚଢଉ କରିଥିଲା । ଡୋନାଲ୍ଡ ଟ୍ରମ୍ପ ନିଜେ ଏବାବଦରେ ଟୁଇଟ୍ କରି ସୂଚନା ଦେଇଥିଲେ । ସେ କହିଥିଲେ ଯେ, ପାମ୍ ବିଚ୍‌ସ୍ଥିତ ମାର-ଏ-ଲାଗୋ ଉପରେ ଏଫବିଆଇର ଅଧିକାରୀମାନେ ଚଢ଼ଉ କରିଛନ୍ତି ଏବଂ ଏହାକୁ ଜବତ କରିଦେଇଛନ୍ତି । କୁହାଯାଉଛି ଯେ, ଏଫବିଆଇର ଏହି ଚଢ଼ଉ ଉପରାଷ୍ଟ୍ରପତିଙ୍କ କାଗଜପତ୍ର ଖୋଜୁଛନ୍ତି, ଯାହାକୁ ଟ୍ରମ୍ପ ହ୍ୱାଇଟ୍‌ହାଉସ ଛାଡ଼ିବା ପରେ ଫ୍ଲୋରିଡା ନେଇଯାଇଥିବା ସଂଦେହ କରାଯାଉଛି ।

ଟ୍ରମ୍ପ କହିଥିଲେ ଯେ, ତାଙ୍କର ଫ୍ଲୋରିଡାସ୍ଥିତ ସୌନ୍ଦର୍ଯ୍ୟପୂର୍ଣ୍ଣ ପାମ ବିଚ୍ ଘର ଉପରେ ଏଫବିଆଇର ଚଢ଼ଉ ହୋଇଛି । ଏହାକୁ ଅଧିକାରୀଙ୍କ ଦ୍ୱାରା ଜବତ କରାଯାଇଛି । କୁହାଯାଉଛି ଯେ, ଯେତେବେଳେ ଏଫବିଆଇର ଚଢ଼ଉ ହୋଇଥିଲା, ସେହି ସମୟରେ ଟ୍ରମ୍ପ ଘରେ ଉପସ୍ଥିତ ନ ଥିଲେ । ତେବେ ଟ୍ରମ୍ପ କହିଛନ୍ତି ଯେ, ଏହା ଆମ ପାଇଁ କଳା ଦିନ ଆରମ୍ଭ ହୋଇଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହିତ ଏଭଳି କେବେ ହୋଇ ନ ଥିଲା । ତଦନ୍ତ ସଂସ୍ଥା ସହିତ ସହଯୋଗ ପରେ ବି ଚଢ଼ଉ କରାଯାଇଛି । ଶାସକ ଦଳ ହଇରାଣ କରିବାକୁ ଚାହୁଁଛନ୍ତି । ସେମାନେ ଚାହୁଁଛନ୍ତି ଯେ, ମୁଁ ଯେପରିକି ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ନ ହୁଏ ।