ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ ବଣିଆକିଲିଣ୍ଡା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ବାରକୋଟ ତହସିଲଦାରଙ୍କ ବୋଲେରୋ ଧକ୍କାରେ ଜଣେ ଯୁବ ବ୍ୟବସାୟୀ ଓ ତାଙ୍କର ୧୧ବର୍ଷୀୟ ପୁଅ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ସମୟରେ ବାରକୋଟ ତହସିଲଦାର ରୁବି ବେହେରା କୌଣସି ସରକାରୀ କାର୍ଯ୍ୟରେ ଦେବଗଡ଼ କଲେକ୍ଟରେଟକୁ ଆସୁଥିବାବେଳେ ବଣିଆକିଲିଣ୍ଡା ଗ୍ରାମ ନିକଟରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ବାରକୋଟ ପଟୁ ଦେବଗଡ଼ ଅଭିମୁଖେ ଏକ ବାଇକ ଯୋଗେ ଆସୁଥିବା ଯୁବ ବ୍ୟବସାୟୀ ରାଜେଶ ଗୋଏଲ (୩୮)ଓ ତାଙ୍କ ପୁଅ ରିସବ ଗୋଏଲ (୧୧)ଙ୍କୁ ଧକ୍କା ଦେଇଥିଲେ। ଫଳରେ ବାଇକରୁ ରାସ୍ତା ଉପରକୁ ଛିଟିକି ପଡ଼ି ଉଭୟ ବାପ ପୁଅ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଗୁରୁତରଙ୍କ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ବେଳେ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଓ ବାଇକକୁ ଜବତ କରିଥିବା ଜଣାପଡ଼ିଛି।