ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ବାପ, ପୁଅ ଗିରଫ

ପଟ୍ଟାମୁଣ୍ଡାଇ,ଏନ୍ଏନ୍ଏସ୍ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର-ଶାସନ ଗ୍ରାମରେ ଜଣେ ଶିଶୁକନ୍ୟାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବାପ ପୁଅକୁ ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ନିମପୁର-ଶାସନ ଗ୍ରାମରେ ବିବାହ ପ୍ରସେସନ ଚାଲିଥିଲା। ପ୍ରାୟ ଭୋର୍ ୫ଟା ସମୟରେ ନିମପୁର-ଶାସନ ଗ୍ରାମର ଜଗବନ୍ଧୁ ମଳିକଙ୍କ ପୁଅ ନାଲୁ (୨୩) ନିଜର ମୁଣ୍ଡ ବୁଲାଇବାରୁ ପଡିଶା ଘରେ ଯାଇ ଶୋଇପଡିଥିଲେ। ପଡିଶା ଘରେ ଥିବା ୫ବର୍ଷର ଶିଶୁକନ୍ୟା ତାର ସାଆନ୍ତ ମାଆ ପାଖରେ ଶୋଇଥିଲା। ଶିଶୁକନ୍ୟାର ମାଆ ଘର କାମ କରିବା ପାଇଁ ବାହାରକୁ ଚାଲିଯିବା ଏବଂ ସାଆନ୍ତ ମାଆ ପାଣି ପାଇଁ ଘରୁ ବାହାରି ଯିବା ପରେ ଘରେ କେହି ନଥିବା ସୁଯୋଗରେ ଅଭିଯୁକ୍ତ ଯୁବକ ଶିଶୁକନ୍ୟା ସହିତ ବଳପୂର୍ବକ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା।

ଏଥିରେ ଶିଶୁକନ୍ୟାଟି କାନ୍ଦିବାରୁ ତାହାର ସାନ ସାଆନ୍ତ ମାଆ ପରିବାର ଲୋକମାନଙ୍କୁ ଡାକ ପକାଇଥିଲା। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଖୁଣ୍ଟରେ ବାନ୍ଧି ପକାଇଥିଲେ। ପରେ ଅଭିଯୁକ୍ତର ବାପା ଜଗବନ୍ଧୁ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ମାଡଗାଳି ଦେବା ସହିତ ଖୁଣ୍ଟରୁ ଖୋଲି ନେଇଯାଇଥିଲେ। ଏହାପରେ ଶିଶୁକନ୍ୟା ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯାଇଥିଲା। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପୁଲିସ ମୋକଦ୍ଦମା ରୁଜୁ କରି ଅଭିଯୁକ୍ତ ନାଲୁ ଓ ତାଙ୍କୁ ଖସାଇ ନେବା ଅଭିଯୋଗରେ ବାପା ଜଗବନ୍ଧୁଙ୍କୁ ଗିରଫ କରିଛି। ସ୍ଥାନୀୟ ପୁଲିସ ଦୁଷ୍କର୍ମର ଶିକାର ହୋଇଥିବା ଶିଶୁକନ୍ୟାର ଡାକ୍ତରୀ ମାଇନା କରି ଏହି ମାମଲାର ତନାଘନା ଚଳାଇଛି। ଏହି ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।