କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ମଣ୍ଡିରେ ଚାଷୀ କଟନୀ ଛଟନୀକୁ ବିରୋଧ କରିବାରୁ ୨ଦିନରୁ ଊର୍ଦ୍ଧ୍ୱ ହେବ ପ୍ରଶାସନ ଧାନ ଉଠେଇବାରେ ବିଫଳ ହୋଇଛି । ଚଳିତ ଖରିଫ ଋତୁ ପାଇଁ ମିଲର ଯଦି ଧାନ ଉଠାଣରେ ବ୍ୟତିକ୍ରମ କରିବେ କିମ୍ବା ଚାଷୀଙ୍କଠାରୁ ସରକାରୀ ନିୟମ ଊର୍ଦ୍ଧ୍ୱରେ କଟନୀ ଛଟନୀ କରିବେ ତା’ହେଲେ ସେମାନଙ୍କୁ ଜେଲ ଯିବାକୁ ପଡ଼ିବ ବୋଲି ଯୋଗାଣ ମନ୍ତ୍ରୀ ଆଗରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ହେଲେ ଏହି ନିର୍ଦ୍ଦେଶନାମାକୁ ବେଖାତିର କରି ପେକ୍ସ ଓ ମିଲରସଙ୍କ ସଲାସୁତୁରାରେ ଚାଷୀଙ୍କଠାରୁ ନିମ୍ନମାନର ଧାନ କହି ୫କେଜି ଓ ବସ୍ତା ପିଛା ୨କେଜି କାଟକୁ ଚାଷୀ ବିରୋଧ କରିବାରୁ ଗୋକୁଳେଶ୍ୱର ମଣ୍ଡିରେ ୨ ଦିନରୁ ଊର୍ର୍ଦ୍ଧ୍ୱ ହେବ ଧାନ ଉଠିପାରି ନାହିଁ । ଚଳିତ ଖରିଫ ଋତୁରେ ଗୋକୁଳେଶ୍ୱର ମଣ୍ଡିରୁ ୩ଟି ପଞ୍ଚାୟତରୁ ୮୨୯ଜଣ ଚାଷୀ ପଞ୍ଜିକୃତ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୭,୮୦୦ କୁଇଣ୍ଟାଲ ଧାନ ଉଠାଇବା ପାଇଁ ୫ଟି ମିଲକୁ କୁହାଯାଇଛି । ପ୍ରଥମ ମଣ୍ଡି ଖୋଲିବାର ୨ଦିନ ମଧ୍ୟରେ ୧୧ଜଣ ଚାଷୀ ୬୧୧.୧୫ କୁଇଣ୍ଟାଲ ଧାନ ଉଠାଇ ଥିବାବେଳେ ଧାନର ମାନ ଉନ୍ନତ ନଥିବା ୫କିଗ୍ରା ଓ ବସ୍ତା ପିଛା ୨କିଗ୍ରା ଧାନ କାଟିବା ଫିକ୍ସ କରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେମାନେ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ଦାବୀ କରି ମଣ୍ଡିରେ ଧାନ ଉଠେଇବା ବନ୍ଦ କରିବାରୁ ଖୋଲା ଆକାଶ ତଳେ ୧୬ଜଣ ଚାଷୀଙ୍କ ୧୪୪୭ ବସ୍ତା ଧାନ ପଡ଼ି ରହିଛି । ଏନେଇ ସୂଚନା ପାଇ ପୂର୍ବତନ ସହର କଂଗ୍ରେସ ସଭାପତି ସୁରେଶ ରାଓ ଏବଂ କିଛି ଗଣମାଧ୍ୟମ ପ୍ରତିନିଧି ଗୋକୁଳେଶ୍ୱର ମଣ୍ଡିରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ ଏବଂ ଉକ୍ତ ମଣ୍ଡିରେ ୭କିଗ୍ରା ଧାନ ବାଧ୍ୟତାମୂଳକ ଭାବେ କାଟୁଥିବା ଚାଷୀଙ୍କଠାରୁ ଅଭିଯୋଗ ପାଇଥିଲେ । ଚାଷୀଙ୍କ ଅଭିଯୋଗକୁ ଭିତ୍ତି କରି ନୋଡାଲ ଅଧିକାରୀ ଭାବେ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଖବର ପାଇ ତହସିଲଦାର ରାକେଶ କୁମାର ପରୁଆ ଗୋକୁଳେଶ୍ୱର ମଣ୍ଡିକୁ ଯାଇ ଚାଷୀଙ୍କ ସମସ୍ୟା ବୁଝିଥିଲେ ଓ ସରକାରୀ ନିୟମ ଅନୁଯାୟୀ ମାନ ନିର୍ଦ୍ଧାରଣ କରାଯାଇ ଧାନ ଉଠାଯିବ ବୋଲି କହିଥିଲେ । ଗତକାଲି ଯେଉଁମାନଙ୍କ ଧାନ ସେଠାରେ ଥିଲା ସମସ୍ତ ଚାଷୀଙ୍କ ମାନ ନିର୍ଦ୍ଧାରଣ ହୋଇସାରିଛି ଓ ଆଜି ଧାନ ଉଠେଇବାର ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।