ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅନଶନ

ଦେବଗଡ଼,ଏନ୍ଏନ୍ଏସ୍: ଗତ ଖରିଫରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଏଯାଏଁ ଫସଲ ବୀମା ମିଳିନଥିବା ବେଳେ ଏହାର ପ୍ରତିବାଦରେ ଆଜି ରିଆମାଳ ବ୍ଲକର ପାଞ୍ଚଟି ପଞ୍ଚାୟତର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ। ପ୍ରଶାସନିକ ହସ୍ତକ୍ଷେପ ପରେ ଚାଷୀମାନେ ଅନଶନରୁ ଓହରି ଥିବା ଜଣାପଡିଛି। ସୂଚନା ଅନୁଯାଇ, ଗତ ୨୦୧୯ ଖରିଫରେ ରିଆମାଳ ବ୍ଲକ ବୁଡିଡୋ, ତାରଙ୍ଗ, ନାଉଲିପଡ଼ା , ଖିଲେଇ ଓ ନୂଆଁଡିହ ପାଞ୍ଚାୟତର ଶତାଧିକ ଚାଷୀ ସେବା ସାମବାୟ ସମିତି ମାଧ୍ୟମରେ ଫସଲ ବୀମା କରିଥିଲେ । ଗତ ଖରିଫରେ ଉପରୋକ୍ତ ପାଞ୍ଚାୟତ ଗୁଡିକରେ ମରୁଡି ପରିସ୍ଥିତି ହୋଇ ଥିଲେ ହେଁ ଚାଷୀମାନଙ୍କୁ ଫସଲ ବୀମା ମିଳିନଥିଲା ।

ଏହାର ପ୍ରତିବାଦରେ ଆଜି ନାଉଲିପଡା ପାଞ୍ଚାୟତର ଚାଷୀ ମକରଧ୍ୱଜ ପ୍ରଧାନ, ଖିଲେଇ ପାଞ୍ଚାୟତ ଚାଷୀ କିଶୋର ଚନ୍ଦ୍ର ବେହେରାଙ୍କ ସମେତ ବହୁ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ର ଧରି ଆମରଣ ଅନଶନ ଆରମ୍ଭ କରିଥିଲେ। ଏହି ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କର, ସମ୍ପାଦକ ଯଯାତୀ କେଶରୀ ବିଶ୍ୱାଳଙ୍କ ସମେତ ସଂଘର ସଦସ୍ୟମାନେ ଅନଶନକାରୀ ଚାଷୀଙ୍କ ସହ ବସି ସେମାନଙ୍କ ଦାବିପୂରଣ ପାଇଁ ସ୍ଲୋଗାନ ଦେବାସହ ଚାଷୀ ଆନ୍ଦୋଳନକୁ ଜୋରଦାର କରିବାକୁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଥିଲେ। ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶାନ୍ତ କୁମାର ନାୟକ ଓ ଜିଲ୍ଲା ସମବାୟ ନିବନ୍ଧକ ନିମାଇ ଚରଣ ନାୟକ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଆନଶନରୁ ଓହରିଥିଲେ।