ବିଭିନ୍ନ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ

ବଲାଙ୍ଗିର,ଏନ୍ଏନ୍ଏସ୍: ଚାଷୀମାନଙ୍କ ଅନେକ ସମସ୍ୟା ଥିବା ବେଳେ ସରକାର ସେମାନଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇ ଦେଉନଥିବା ଅଭିଯୋଗରେ ବୁଧବାର ଜୟ କୃଷକ ସଂଗଠନର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଜୟ କୋଶଳ କୃଷକ ସଂଗଠନର ସଭାପତି ପ୍ରକାଶ ବୁଡେକଙ୍କ ନେତୃତ୍ୱରେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିବା ସହିତ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଚାଷୀମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ  ନିମନ୍ତେ ଏକ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ସେଥିରେ ବେଲପଡ଼ା ବ୍ଲକର ଧୁମାଭଟା, ମଣ୍ଡଳ, କମ୍ପାନୀ, ସୁଲେଇକେଲାନୁନହାଡ଼ବାଲିଖମାର, ବେହେରାମୁଣ୍ଡା ଓ ଘାର୍ଗୁଲି ପଞ୍ଚାୟତର ଚାଷୀମାନଙ୍କୁ ତୁରନ୍ତ ଚାଷୀ ବୀମା ରାଶି ପ୍ରଦାନ କରିବା, ଜିଲ୍ଲାର ସମସ୍ତ ଚାଷୀଙ୍କ ଋଣ ଛାଡ଼ କରିବା, ସମସ୍ତ ଚାଷୀଙ୍କୁ ପେନସନ ପ୍ରଦାନ କରିବା, କପାର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାରରୁ ୧୦ହଜାରକୁ ବୃଦ୍ଧି କରିବା, ବେଲପଡ଼ା ବ୍ଲକ୍‌ର ସମସ୍ତ ଚାଷପୋଯୋଗୀ ଜମିକୁ ଜଳସେଚନ ବ୍ୟବସ୍ଥା କରିବା, ବେଲପଡ଼ାରେ ଏକ ସୂତା କଳ ପ୍ରତିଷ୍ଠା କରିବା ଓ କପା ଉନ୍ନୟନ ବୋର୍ଡ କାର୍ଯ୍ୟାଳୟ ବେଲପଡ଼ା ଠାରେ ପ୍ରତିଷ୍ଠା କରିବା ପାଇଁ ଦାବି ହୋଇଛି।

ଏହି କାର୍ଯ୍ୟକ୍ରମରେ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଆବାହକ ପ୍ରମୋଦ ମିଶ୍ର ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ସହ ଖେଳ ଖେଳୁଛନ୍ତି ବୋଲି କହିଥିଲେ। କୋଶଳାଞ୍ଚଳ ପ୍ରତି ରାଜ୍ୟ ସରକାର ସବୁବେଳେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି କହିଛନ୍ତି। ତେବେ ଆଗାମୀ ଦିନରେ ଚାଷୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର, ବରିଷ୍ଠ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ, ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଶିକ୍ଷାବିତ ମନୋରଞ୍ଜନ ସାହୁ ପ୍ରମୁଖ ସାମିଲ ଥିଲେ।