ଫସଲ ବୀମା ସମସ୍ୟାକୁ ନେଇ ରାସ୍ତାରେ ଶୋଇଲେ ଚାଷୀ

ପଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବେଳପଡ଼ା ଥାନା ଅନ୍ତର୍ଗତ ସଲହଣ୍ଡି ଓ ଉଡିଙ୍ଗ ଗ୍ରାମର ଚାଷୀ ପକ୍ଷରୁ ବୁଧବାର ଦିନ ଫସଲ ବୀମା ପ୍ରଦାନକୁ ନେଇ ରାସ୍ତାରୋକ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚାଷୀମାନେ କଣ୍ଟାବାଞ୍ଜି-ବଲାଙ୍ଗିର ଜାତୀୟ ରାଜପଥର ଉଡିଙ୍ଗ ଗାଁ ନିକଟରେ ରାସ୍ତାରେ ଶେଇ ରହିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି।

ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ, ୨୦୧୮-୧୯ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବେଳପଡ଼ା ବ୍ଲକର ସଲହଣ୍ଡି ପଞ୍ଚାୟତର ଉଡିଙ୍ଗ ଓ ସଲହଣ୍ଡି ଚାଷୀମାନେ ବୀମା କରିଥିଲେ। ଅନେକ ସମୟରେ ଚାଷୀମାନେ ନିଜ ସମସ୍ୟା ପ୍ରଶାସନକୁ ଜଣାଇଥିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ବାଧ୍ୟ ହୋଇ ଆଜି ରାସ୍ତାରୋକ କରିଛନ୍ତି।

ବେଳପଡା ତହସିଲଦାର ପ୍ରିୟରଞ୍ଜନ କୁମ୍ଭାର ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସମସ୍ୟା ପ୍ରତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ। ଏଥିସହିତ ଯଦି ଫସଲ ବୀମାରୁ ବାଦ ପଡିଥିବା ତାଙ୍କର ଅଞ୍ଚଳର ଚାଷୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାନଗଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ତହସିଲଦାର ସହ ବେଳପଡା ଥାନା ଏସଆଇ କିରଣ ଜାନୀ, ଏଏସଆଇ ସୁମନ୍ତ କୁମାର ପଣ୍ଡା ଆନ୍ଦୋଳନ ସ୍ଥଳ ଉପସ୍ଥିତ ରହି ବୁଝାସୁଝା କରିଥିଲେ। ଅପରାହ୍ନ ୪ଟାରେ ଚାଷୀମାନେ ରାସ୍ତାରୋକରୁ ଉଠିଥିଲେ।