ଟୋକନ ବ୍ୟବସ୍ଥାକୁ ବିରୋଧ, ଧାନ ବସ୍ତା ପକାଇ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ବରଗଡ଼,ଏନ୍ଏନ୍ଏସ୍: ଖରିଫ ଧାନ ଅମଳ ପରେ ଏହାର ବିକ୍ରିକୁ ନେଇ ବରଗଡ଼ ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡିଶାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଚଳିତ ବର୍ଷ ସରକାର ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା ନିୟମ ଲାଗୁ କରିବାରୁ ଚାଷୀମାନେ ଏହାକୁ ବିରୋଧ କରିବା ସହ ଚାଷୀ ଆନ୍ଦୋଳନ ମଧ୍ୟ କରିଥିଲେ।

ଏଥିରେ କୌଣସି ସୁଫଳ ନମିଳିବାରୁୁ ଚାଷୀମାନେ ବାଧ୍ୟ ହୋଇ ଗୁରୁବାର ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭାଗା ଠାରେ ସମଲେଶ୍ୱରୀ ମନ୍ଦିର ଆଗ ଜାତୀୟରାଜପଥ ଉପରେ ଧାନବସ୍ତା ପକାଇ ଅବରୋଧ କରିବା ସହ ଆନ୍ଦୋଳନ କରୁଛନ୍ତି। ଫଳରେ ବରଗଡ଼-ସମ୍ବଲପୁର ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି।

ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ ରହିଥିବା ବେଳେ ଆମ୍ବୁଲାନ୍ସ, ସ୍କୁଲ ବସ୍ ଯିବା ପାଇଁ ଚାଷୀମାନେ କିଛି ରାସ୍ତା ଛାଡିଛନ୍ତି। ତେବେ ଟୋକେନ ବ୍ୟବସ୍ଥାକୁ ବିରୋଧ କରି ଚାଷୀ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି।