ପାଟଣାଗଡ଼,ଏନ୍ଏନ୍ଏସ୍: ବାରମ୍ବାର ଅନୁରୋଧ ପରେ ମଧ୍ୟ ଜଣ ପଞ୍ଜୀକୃତ ଚାଷୀ ଉତ୍ପାଦିତ ଧାନ ବିକ୍ରୟ କରିନପାରିବାରୁ ଶେଷରେ ପୈତୃକ ଜମିରେ ଧାନ ପରିବର୍ତ୍ତେ ଗଞ୍ଜଇ ଚାଷ ପାଇଁ ତହସିଲଦାରଙ୍କୁ ଅନୁମତି ମାଗିଛନ୍ତି । ଜାନୁୟାରୀ ୨୦ ତାରିଖ ଭିତରେ ତାଙ୍କ ଅମଳ ହୋଇଥିବା ସମସ୍ତ ଧାନ ବିକ୍ରୟ ନହୋଇପାରିଲେ ଏବଂ ଗଞ୍ଜେଇ ଚାଷ ପାଇଁ ତାଙ୍କୁ ବିଧିବଦ୍ଧ ଭାବେ ଅନୁମତି ନମିଳିଲେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ଭାଲୁଡୁଙ୍ଗୁରି ମୌଜାର ଚାଷୀ ନୀଲାମ୍ବର ବିଶ୍ୱାଳ ଦରଖାସ୍ତ ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ମିଳିଥିବା ରିପୋର୍ଟ ମୁତାବକ, ନୀଲାମ୍ବର ତାଙ୍କ ଭାଲୁଡୁଙ୍ଗୁରି ମୌଜାରେ ଥିବା ୧୫ ଏକର ପୈତୃକ ଜମିରେ ୨୦୨୨-୨୩ ଖରିଫ ଋତୁରେ ଧାନ ଚାଷ କରିଥିଲେ । ପଞ୍ଜୀକୃତ ହେବା ପରେ ତାଙ୍କ ନାଁର ୭୮କୁଇଣ୍ଟାଲ ଏବଂ ତାଙ୍କ ପୁତୁରା ଅବିନାଶ ବିଶ୍ୱାଳଙ୍କ ନାଁରେ ୫୪ କୁଇଣ୍ଟାଲ ଧାନ ବିକ୍ରୟ ପାଇଁ ଅନୁମତି ମିଳିଥିଲା । ତେବେ ତାଙ୍କ ଅଧା ଜମିକୁ ଜାଣିଶୁଶି ପଞ୍ଜୀକୃତ କରାଯାଇନଥିବା ଖପ୍ରାଖୋଲ ତହସିଲଦାରଙ୍କୁ ଜଣାଇବା ପରେ ଧଣ୍ଡାମୁଣ୍ଡା ରାଜସ୍ୱ ଅଧିକାରୀ ତାଙ୍କ ଜମିକୁ ଯାଇ ଯାଞ୍ଚ କରିଥିଲେ । ରାଜସ୍ୱ ଅଧିକାରୀ ଯାଞ୍ଚ କରି ଫେରିଥିଲେ ମଧ୍ୟ ଏ ସଂକ୍ରାନ୍ତରେ କୌଣସି ରିପୋର୍ଟ ଦେଇନଥିଲେ । ରାଜସ୍ୱ ଅଧିକାରୀଙ୍କ ସର୍ଭେ ରିପାର୍ଟ ଏବଂ ତାଙ୍କ ଧାନ ବିକ୍ରୟ ସମସ୍ୟାକୁ ନେଇ ଚାଷୀ ନୀଲାମ୍ବର ଖପ୍ରାଖୋଲଠାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ । ସେତେବେଳେ ତହସିଲଦାର ତାଙ୍କୁ ଧାନ ବିକ୍ରି ନେଇ କୌଣସି ସମସ୍ୟା ହେବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ତହସିଲଦାରଙ୍କ ଏପରି ଆଶ୍ୱାସନାରେ ଗତ ୨ ତାରିଖରୁ ଧାନକୁ ନେଇ ମଣ୍ଡିରେ ପକାଇ ରଖିଥିଲେ ମଧ୍ୟ ନୀଳାମ୍ବରଙ୍କ ଧାନ ଏଯାବତ୍ ବିକ୍ରି ହୋଇନାହିଁ । ଠିକ ସମୟରେ ଧାନ ବିକ୍ରି ହୋଇନଥିବାରୁ ଅର୍ଥାଭାବ ଯୋଗୁ ସେ ତାଙ୍କ ୧୫ ଏକର ଜମିରେ ଡାଳୁଅ ଧାନ ପାଇ ତଳି ପକାଇ ପାରିଲେ ନାହିଁ । ୨୦ ତାରିଖ ପର୍ଯ୍ୟନ୍ତ ତାଙ୍କ ଧାନ ବିକ୍ରି ନହେଲେ ସବୁ ଧାନକୁ ତହସିଲ ଅଫିସରେ ପକାଇ ଦେବେ ଏବଂ ଭବିଷ୍ୟତରେ କେବେ ଧାନ ଚାଷ କରିବେ ନାହିଁ ବୋଲି ନୀଳାମ୍ବର ତହସିଲଦାରଙ୍କୁ ଦେଇଥିବା ଦରଖାସ୍ତରେ ଲେଖିଛନ୍ତି । ଏପରିକି ଆଉ ଆଗକୁ ଜମି ଖଜଣା ମଧ୍ୟ ଦେବେ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି । ଧାନ ଚାଷ କରି ସେ ପରିବାର ପ୍ରତିପୋଷଣ କରିପାରୁନାହାନ୍ତି ଏଣୁ ତାଙ୍କୁ ତାଙ୍କ ପୈତୃକ ଜମିରେ ଗଞ୍ଜେଇ ଚାଷ ପାଇଁ ଅନୁମତି ଦିଅନ୍ତୁ ବୋଲି ଗଭୀର ହତାଶରେ ନିଳାମ୍ବର ଜଣାଇଛନ୍ତି । ଏଥିସହିତ ଅନୁମତି ନେଦେଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅତ୍ମହତ୍ୟା କରିବେ ଏବଂ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ନୀଲାମ୍ବର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ଜଣାଇଛନ୍ତି ।