ଋଣ ପାଇଁ ସୋସାଇଟି ମାଗିଲା ଲାଞ୍ଚ, କୀଟନାଶକ ପିଇଦେଲେ ଚାଷୀ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ସଦର ବ୍ଲକ୍ ନୂଆପାଲି ଗ୍ରାମରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ମହେନ୍ଦ୍ର ସାହୁ (୩୭)। ଚାଷ କାର୍ଯ୍ୟପାଇଁ ସୋସାଇଟିରୁ ଋଣ ନମିଳିବା ଏବଂ ଏଥିପାଇଁ ଲାଞ୍ଚ ମଗାଯାଉଥିବା ନେଇ ସେ ଚିନ୍ତିତ ଥିଲେ ଏବଂ ସେହି କାରଣରୁ ଆତ୍ମହତ୍ୟା କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ମହେନ୍ଦ୍ର ଚଳିତ ଖରିଫ ଋତୁ ପାଇଁ ସରସରା ସୋସାଇଟିରୁ ଋଣ ଆବେଦନ କରିଥିଲେ। ହେଲେ ତାଙ୍କୁ ଋଣ ମିଳିବା ପରିବର୍ତ୍ତେ ମାନସିକ ନିର୍ଯାତନା ଦିଆଯିବା ସହ ଲାଞ୍ଚ ଦେଲେ ଋଣ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଫଳରେ ମହେନ୍ଦ୍ର ଜନୈକ ଗ୍ରାମବାସୀଠାରୁ ୪୦ ହଜାର ଟଙ୍କା ଋଣ କରିଥିଲେ। ସେଥିରୁ କିଛି ଟଙ୍କା ଚାଷ କାର୍ଯ୍ୟରେ ଲଗାଇବା ସହ ବାକି ଟଙ୍କା ସୋସାଇଟି ସମ୍ପାଦକଙ୍କୁ ହାତଗୁଞ୍ଜା ଦେଇଥିବା ଅଭିଯୋଗ ହୋଇଛି। ତାପରେ ମଧ୍ୟ ମହେନ୍ଦ୍ରଙ୍କୁ ସୋସାଇଟିରୁ ଋଣ ନମିଳିବାରୁ ସେ ଭାଙ୍ଗିପଡ଼ିଥିଲେ। ଅନ୍ୟପକ୍ଷରେ ନିଜର ୨ ଏକର ଜମିରେ ସେ ଧାନ ଚାଷ କରିଥିବା ବେଳେ ତାହା ଭଲ ହୋଇନଥିଲା। ଋଣ ନ ମିଳିବା ଓ ବିଳମ୍ବରେ ଚାଷ କରିବା ଯୋଗୁଁ ସେଥିରେ ବଙ୍ଗୀ ପୋକ ଆକ୍ରମଣ କରିଥିବା ଜଣାପଡ଼ିଛି।

ଏସବୁରେ ଚିନ୍ତିତ ଥିବା ଚାଷୀ ମହେନ୍ଦ୍ର ଗତ ଗୁରୁବାର କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ସୋମବାର ସକାଳେ ମହେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାକୁ ନେଇ ପରିବାର ବର୍ଗ ସରସରା ସୋସାଇଟି ସମ୍ପାଦକଙ୍କୁ ଦାୟୀ କରିଛନ୍ତି। ମହେନ୍ଦ୍ରଙ୍କ ମୃତଦେହ ଗାଁକୁ ଆସିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ପତ୍ନୀ ଓ ଗୋଟିଏ ଝିଅ, ଦୁଇ ଛୋଟ ପୁଅଙ୍କୁ ମହେନ୍ଦ୍ର ଛାଡ଼ିଯାଇଛନ୍ତି। ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜସେବୀ ଇଂ ଦେବବ୍ରତ ମିଶ୍ର ଦାବି କରିବା ସହ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।