ମାଲକାନଗିରି,ଏନ୍ଏନ୍ଏସ୍: ମଣ୍ଡିରେ ଧାନକିଣା ସମୟରେ ଅବ୍ୟବସ୍ଥା ଅଭିଯୋଗ କରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ଶତାଧିକ ଚାଷୀ ଧାରଣା ଦେଇଛନ୍ତି। ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀଙ୍କ ନେତୃତ୍ୱରେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରମୁଖ ୨ଟି ଫାଟକ ସମ୍ମୁଖରେ ଧାନ ବସ୍ତା ରଖି ଅବରୋଧ କରିବା ସହ ଧାରଣା ଦେଇଥିଲେ। ଫଳରେ କାର୍ଯ୍ୟାଳୟର କର୍ମଚାରୀମାନେ ପଛପଟ ଦେଇଯିବା ଆସିବା କରିଛନ୍ତି। ଜିଲ୍ଲାର ମଣ୍ଡିଗୁଡ଼ିକରେ ଧାନବସ୍ତା ମାସମାସ ଧରି ପଡ଼ି ରହିଥିଲେ ମଧ୍ୟ ଧାନକ୍ରୟ କରାଯାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଅନ୍ଲାଇନରେ ଟୋକନ୍ ଆସିଥିଲେ ସୁଦ୍ଧା ଟୋକନ୍ ଉଭାନ ହୋଇଯାଉଛି। ଫଳରେ ଚାଷୀ ତାର ନିଜର ଉତ୍ପାଦିତ ଧାନ ବିକ୍ରି କରିପାରୁନାହିଁ। ଏଥିସଙ୍ଗେ ସଙ୍ଗେ ବହୁଦିନ ଧରି ମଣ୍ଡିରେ ବିକ୍ରି କରିଥିବା ଧାନର ପ୍ରାପ୍ୟ ମଧ୍ୟ ଚାଷୀମାନେ ପାଇନଥିବା ବେଳେ କ୍ୱିଣ୍ଟାଲ ପିଛା ୫ ରୁ ୬ କିଲୋଗ୍ରାମ ଧାନ କାଟୁଥିବା ଅଭିଯୋଗ କରିଛନ୍ତି। ଗତ ୮ତାରିଖରେ ରାସ୍ତାରୋକ କରିବା ପରେ ଉପଜିଲ୍ଲାପାଳ ୭ଦିନ ମଧ୍ୟରେ ଧାନକ୍ରୟ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାଙ୍କର ପ୍ରତିଶ୍ରୃତି ପ୍ରଶାସନ ପକ୍ଷରୁ ପାଳନ କରାଯାଇନାହିଁ। ତେଣୁ ଏହାକୁ ଘୋର ବିରୋଧ କରିଛନ୍ତି ଜିଲ୍ଲାର ହଜାର ହଜାର ଚାଷୀ। ଏହି ପରିପ୍ରେକ୍ଷୀରେ ଚାଷୀମାନେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଆଧାରରେ ଧାନ କ୍ରୟ ନହେବ, ସେପର୍ଯ୍ୟନ୍ତ ଧାରଣାରେ ବସିବୁ। ଆବଶ୍ୟକ ପଡ଼ିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପଡ଼ିଆମୀ ପ୍ରକାଶ କରିଛନ୍ତି।