କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ବାରମ୍ବାର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ଗତକାଲି ଜିଲ୍ଲାର ଗୋବିନ୍ଦପାଲି ଠାରେ ମଣ୍ଡିରୁ ଧାନ ଉଠୁନଥିବା ହେତୁ ମାଲକାନଗିରି-ଜୟପୁର ରାସ୍ତା ଅବରୋଧ କରି ଚାଷୀ ଧାରଣାରେ ବସିଥିଲେ। ଠିକ ସେହିପରି ଭାବେ ଆଜି ଜିଲ୍ଲାର କୋରୁକୋଣ୍ଡା ଠାରେ ମଧ୍ୟ ସକାଳୁ ଚାଷୀ ଉତ୍ତେଜନା ଦେଖାଯାଇଛି। ଦୀର୍ଘ ୪୫ ଦିନ ଧରି ବ୍ଲକର କୌଣସି ମଣ୍ଡିରୁ ଧାନ ନଉଠାଯାଇଥିବାରୁ ଉତ୍ତେଜିତ ହୋଇ ଚାଷୀମାନେ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ଲ୍ୟାମ୍ପ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ।
ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଏସବୁ ସମସ୍ୟାର ସମାଧାନ ନ ହେବାରୁ ଚାଷୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଘଟଣାସ୍ଥଳକୁ ଯାଇ କୋରୁକୋଣ୍ଡା ବିଡିଓ ଦାଶରଥି ସରାବୁ, ମାଲକାନଗିରି ଥାନାଧିକାରୀ ରାମ ପ୍ରସାଦ ନାଗ, ବ୍ଲକ୍ ଯୋଗାଣ ଅଧିକାରୀ ବୈମକେଶ ମାଝୀ ୭ ଦିନ ମଧ୍ୟରେ ମଣ୍ଡିରେ ପଡି ରହିଥିବା ଧାନକୁ ଉଠାଇବା ନେଇ ପ୍ରତିଶ୍ରୁତି ଦେଇଥିବାରୁ ଚାଷୀମାନେ ଧାରଣରୁ ଓହରିଛନ୍ତି।