କର୍ଲାମୁଣ୍ଡା,ଏନ୍ଏନ୍ଏସ୍: ଅଞ୍ଚଳର ଚାଷୀ ମାନଙ୍କ ସମସ୍ୟାକୁ ଆଖି ଆଗରେ ରଖି ପ୍ରାଥମିକ କୃଷି ସମବାୟ ସମିତି ଜୋରାଡ଼ବରା ସଭାପତି ଶ୍ରୀ ଦେବରାଜ ରଣାଙ୍କ ଅଧ୍ୟକ୍ଷତାରେ ଜୋରାଡ଼ବରା ଠାରେ ଅଞ୍ଚଳର ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ଓ ଚାଷୀ ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ୍ୟା ତଥା ଚାଷୀ ନେତ୍ରୀ ଶ୍ରୀମତୀ କୁନି ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସହକାରୀ ନିବନ୍ଧକ ମଧୁସୂଦନ ମେହେର, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଚନ୍ଦ୍ରଧ୍ୱଜ ମହାରଣା, ବୋରପଦର ଗ୍ରା.ପ ସରପଞ୍ଚ ସୁବାସ ସାହୁ, ରେଗଡା ଗ୍ରା.ପ ସରପଞ୍ଚ ଦିପ୍ତୀରାଣୀ ସାହୁ, ସାପଲହରା ଗ୍ରା. ପ ରାଜେଶ୍ୱରୀ ସେନାପତି, ଜୋରାଡ଼ବରା ସରପଞ୍ଚ କ୍ଷିତିସୁତା ସାହୁ, ସମିତି ସଭ୍ୟା ଶ୍ରୀମତୀ ରିମା ସାହୁ, ଆରତୀ ସାହୁ ଯୋଗଦାନ କରିଥିଲେ। ଚାଷୀ ନେତ୍ରୀ ତଥା ବ୍ଲକ୍ ଅଧ୍ୟକ୍ଷ୍ୟା ଶ୍ରୀ ମତୀ କୁନି ସାହୁ ଚାଷୀ ମାନେ ଭୋଗୁଥିବା ଅନେକ ସମସ୍ୟା ଉପସ୍ଥାପନ କରିଥିଲେ ।
ଏହି ଶିବିରରେ ଚାଷୀ ଏବଂ ଉପସ୍ଥିତ ଥିବା ଅଧିକାରୀ ମାନଙ୍କ ସହ ଚାଷୀ ମାନଙ୍କ ସମସ୍ୟାକୁ ନେଇ ଏକ ଆଲୋଚନା ଚକ୍ର ହୋଇଥିଲା । ୨୦ ଜଣ ଋଣ ଖିଲାପ କରିନଥିବା ଚାଷୀଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାରେ ସର୍ବ ପ୍ରଥମେ ଏଭଳି କୃଷକ ସଚେତନତା ବୈଠକ ଆୟୋଜନ କରିଥିବାରୁ ଦେବରାଜ ରଣାଙ୍କୁ ଅଞ୍ଚଳ ବାସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ମଣ୍ଡିରେ ଦେଖା ଦେଉଥିବା ଚାଷୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ନିଃସ୍ୱାର୍ଥପର ଚେଷ୍ଟା ଜାରି ରଖିବେ ବୋଲି ଚାଷୀ କୁଳ ଆଶାବାଦୀ ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ଏଭଳି ସଚେତନତା ବୈଠକ ପ୍ରଥମ ଥର ପାଇଁ ଆୟୋଜନ ହୋଇଥିବାରୁ ଏହା ଜିଲ୍ଲା ପାଇଁ ଐତିହାସିକ ପଦକ୍ଷେପ ।