ହଜିଲା ପୁଅକୁ ପାଇଲେ ପରିବାର: ଫିଙ୍ଗରପ୍ରିଣ୍ଟରୁ ଜଣାପଡିଲା ଘର ଠିକଣା

ଝାରସୁଗୁଡା,ଏନ୍ଏନ୍ଏସ୍: ଦୀର୍ଘ ତିନି ବର୍ଷ ବାହାରେ ରହିବା ପରେ ପରିବାରକୁ ଫେରିଛନ୍ତି ଭିନ୍ନକ୍ଷମ ନାବାଳକ ରୋହନ। ଚାଇଲଡ଼ ଲାଇନ ପ୍ରୟାସରେ ରାୟପୁରର ଏହି ନାବାଳକ ଜଣକ ପରିବାରକୁ ଫେରିବା ସମ୍ଭବ ହୋଇଛି। ଚାଇଲଡ଼ ଲାଇନର ଏଭଳି ପ୍ରୟାସରେ ଖୁସି ଜାହିର କରିଛନ୍ତି ପରିବାର ଲୋକେ। ପଡ଼ୋଶୀ ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲା ଖମାତରାଇ ବାସିନ୍ଦା ରାଜରାମ ସୋନାଙ୍କ ପୁଅ ରୋହନ ସୋନା (୧୭)। ସେ ୩ ବର୍ଷ ପୂର୍ବେ ହଜି ଯାଇ ଝାରସୁଗୁଡା ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିଲେ।

ଚାଇଲଡ଼ ଲାଇନ ପ୍ରୟାସରେ ଆଜି ରୋହନଙ୍କ ବାପା, ମାମୁଁ ଓ ସ୍ଥାନୀୟ ପୋଲିସ ଝାରସୁଗୁଡ଼ା ଆସି ରୋହନଙ୍କୁ ଘରକୁ ନେଇଛନ୍ତି। ରୋହନ କେମିତି ହଜି ଯାଇଥିଲେ ବୋଲି ପଚାରିବାରୁ ତାଙ୍କ ବାପା କହିଛନ୍ତି ସେ ପାର୍କକୁ ବୁଲିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ନ ପାଇବାରୁ ସ୍ଥାନୀୟ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ରୋହନଙ୍କୁ ଗତ ୨୦୧୭ ମସିହା ଜୁଲାଇ ୭ ତାରିଖ ଦିନ ଚାଇଲଡ଼ ଲାଇନ ସହାୟତାରେ ଝାରସୁଗୁଡା ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା । ହେଲେ ସେ ମୁକ ଏବଂ ବଧିର ହୋଇଥିବାରୁ ନିଜ ପରିଚୟ ତଥା ଘର ଠିକଣା କହି ପାରୁନଥିଲେ। ତେଣୁ ତାଙ୍କୁ ଝାରସୁଗୁଡା ବୃନ୍ଦାମାଲ ସ୍ଥିତ ଉତ୍କଳ କଲ୍ୟାଣ ସେବା ସଂଘରେ ଅସ୍ଥାୟୀ ଆଶ୍ରୟ ଓ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରାଗଲା।

ତେଵେ ତାଙ୍କ ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ବିଦ୍ୟାଳୟ କର୍ତୃପକ୍ଷ ୨୦୧୮ ମସିହାରେ ପ୍ରୟାସ କରିଥିଲେ। ହେଲେ ସେ ସମୟରେ ତାଙ୍କ ଆଧାର କାର୍ଡ ପ୍ରସ୍ତୁତ ହୋଇ ପାରିନଥିଲା। ଫଳରେ ୨୦୧୯ ମସିହା ଡିସେମ୍ବର ମାସରେ ପୁଣି ବିଦ୍ୟାଳୟ କର୍ତୃପକ୍ଷ ରୋହନଙ୍କ ଆଧାରକାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରୟାସ କଲେ। ଏଥିପାଇଁ ଝାରସୁଗୁଡା ଚାଇଲଡ଼ ଲାଇନ ଓ ଶିଶୁ ମଙ୍ଗଳ କମିଟିର ଆଧାର କାର୍ଡ ପ୍ରସ୍ତୁତ କରୁଥିବା ଇୟୁଆଇଡିଆଇ ହାଇଦ୍ରାବାଦ ମୁଖ୍ୟ କାର୍ୟ୍ୟାଳୟ ସହ ଯୋଗାଯୋଗ କରିଥିଲେ। ତେବେ ରୋହନଙ୍କ ଫିଙ୍ଗର ପ୍ରିଣ୍ଟ ଯୋଗେ ସେ ରାୟପୁରର ପୁଅ ଓ ତାଙ୍କ ଠିକଣା ଆଧାରକାର୍ଡ କାର୍ୟ୍ୟାଳୟରୁ ଜଣାପଡିଥିଲା।

ରୋହନଙ୍କ ଠିକଣା ମିଳିବା ପରେ ପରେ ବୁଧବାର ଝାରସୁଗୁଡା ଚାଇଲଡ଼ ଲାଇନ ସଂଯୋଜକ ଆଶିଷ ପଣ୍ଡା ରାୟପୁର ଚାଇଲଡ଼ ଲାଇନ ସଂଯୋଜକଙ୍କ ସହ ସମ୍ପର୍କ କରି ରୋହନଙ୍କ ଠିକଣାରେ ଯୋଗାଯୋଗ କରିବା ପାଇଁ କହିଥିଲେ। ରାୟପୁର ଚାଇଲଡ଼ ଲାଇନ ସଂସ୍ଥା ରୋହନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ତାଙ୍କ ପୁଅ ଝାରସୁଗୁଡାରେ ଥିବା କହିଥିଲେ। ଏହା ଶୁଣି ତାଙ୍କ ପରିବାର ବର୍ଗ ଓ ସ୍ଥାନୀୟ ପୁଲିସ ଗୁରୁବାର ଝାରସୁଗୁଡା ଆସି ରୋହନଙ୍କୁ ଘରକୁ ନେଇଥିଲେ।