ବିଲରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ; ଜଗି ରହିଛି ଅନ୍ୟ ଏକ ଦନ୍ତା

ଟାଙ୍ଗୀ(ଖୋର୍ଦ୍ଧା),ଏନ୍ଏନ୍ଏସ୍: ଖୋର୍ଦ୍ଧା ବନଖଣ୍ତ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ରାମେଶ୍ୱର ମଲାଗୁଣୀ ନଦୀ ନିକଟ ବାଁବିଲି ମୌଜାରେ ଏକ ମାଈ ହାତୀ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଅନ୍ୟ ଏକ ହାତୀ ତାକୁ ଜଗି ରହିଥିବା ଦେଖାଯାଇଛି। ଗହୀର ବିଲ ମଝିରେ ହାତୀଟି ମରଣ ସହ ସଂଗ୍ରାମ କରୁଛି। ଉକ୍ତ ହାତୀଟି ପୋକ ନିୟନ୍ତ୍ରଣ ପାଇଁ ପଡ଼ିଥିବା କୀଟନାଶକ ଯୁକ୍ତ ଫସଲ ଖାଇ ବିଷ ଜ୍ୱାଳାରେ ଛଟପଟ ହେଉଥିବା ଅନୁମାନ କରାଯାଇଛି। ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବନରଖିମାନେ ପହଞ୍ଚି ହାତୀ ମୁହଁରେ ପାଣି ମାଡ଼ କରୁଥିବା ଦେଖିବାକୁ ମିଳିଛି। ହାତୀ ପାଖରେ ଅନ୍ୟ ଏକ ଦନ୍ତା ହାତୀ ଜଗି ରହିଛି। ବିଷକ୍ରିୟା କାରଣରୁ ଦନ୍ତା ହାତୀଟି ମଧ୍ୟ ଦୌଡ଼ି ପାରୁନଥିବା ସନ୍ଦେହ କରାଯାଉଛି। ଶହ ଶହ ଲୋକେ ସେହି ସ୍ଥାନରେ ଏକଜୁଟ ହୋଇଛନ୍ତି। ଏହାସହ ଟାଙ୍ଗୀ ଓ ନିରାକାରପୁର ପ୍ରାଣୀ ଚିକିତ୍ସକମାନେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।

ସୂଚନା ଯୋଗ୍ୟ, ବାଁବିଲି ମୌଜାରେ ବହୁତ ଚାଷୀ ରବି ଫସଲ କରିଛନ୍ତି। କଖାରୁ ବିଲରୁ ହାତୀଟି ପଡ଼ିଉଠି ଯାଇଥିବା ଚିହ୍ନରୁ ସ୍ପଷ୍ଟ ହେଉଛି। ମାତ୍ର ଏଯାବତ କେଉଁ କାରଣରୁ ହାତୀଟି ଏପରି ଛଟପଟ ହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।