ନକଲି ଷ୍ଟାମ୍ପ ଓ ଆଧାର କାର୍ଡ ବଦଳରେ ଜାଲିଆତିର ପର୍ଦ୍ଦାଫାସ, ୭ ଗିରଫ 

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଦୀର୍ଘ ଦିନ ଧରି ଚାଲିଥିବା ଜାଲ ପଟ୍ଟା ର୍ୟାକେଟର ପର୍ଦ୍ଦାଫାସ କରିବାରେ ଦେବଗଡ଼ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ର୍ୟାକେଟର କିଙ୍ଗପିନ ସମେତ ୭ଜଣ ଅଭିଯୁକ୍ତଙ୍କୁ ଦେବଗଡ଼ ଥାନା ପୁଲିସ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ  ଜାଲ ଜମି ପଟ୍ଟା, ନକଲି ଷ୍ଟାମ୍ପ ପେପର, ନକଲି ଆଧାର କାର୍ଡ, ନକଲି ଭୋଟର କାର୍ଡ, ବ୍ୟାଙ୍କ ପାସବୁକ, କମ୍ପ୍ୟୁଟର, ନକଲି ଜମିପଟ୍ଟା ପ୍ରସ୍ତୁତ କରିବାରେ ବ୍ୟବହୃତ କାଗଜ ଓ ଚା’ ପତି ଆଦି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଥାନା ଅନ୍ତର୍ଗତ କୈଳାଶ ଗ୍ରାମର ତପନ ନାୟକ, କପାସିରା ଗ୍ରାମର ଉମାକାନ୍ତ ଗଡ଼ନାୟକ, କାଳକାଠ ଗ୍ରାମର ଉମାକାନ୍ତ ପ୍ରଧାନ, ପୌରାଞ୍ଚଳ ବଣିଆସାହିର ରାଜେନ୍ଦ୍ର ଡଗରା, ସମ୍ବଲପୁର ଜିଲ୍ଲା ଜମନକିରା ଥାନାଞ୍ଚଳର ଅଖିଳ ଚନ୍ଦ୍ର ଜାମୁଡ଼ାଲିଆ, ବାରକୋଟ ଥାନା ଅନ୍ତର୍ଗତ ବାହାଡ଼ାପୋଶି ଗ୍ରାମର ଅଜୟ କୁମାର ବାଘ ଓ ବାରକୋଟ ଗ୍ରାମର ମୋହନ ନାୟକ। ଏନେଇ ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।

ଳିଥିବା ରିପୋର୍ଟ ମୁତାବକ, ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ରଜାମୁଣ୍ଡାଠାରେ ରହୁଥିବା ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ଭିକାରୀ ଚରଣ ପ୍ରଧାନ ଦେବଗଡ଼ ଥାନା ଅନ୍ତର୍ଗତ କୈଳାଶ ଗ୍ରାମର ତପନ ନାୟକଙ୍କ ଜରିଆରେ ହୃଦୟନାଥ ପ୍ରଧାନଙ୍କ ନାମରେ ଥିବା ଏକ ଜମି କିଣିଥିଲେ। ଜମନକିରା ଥାନାଞ୍ଚଳର ଅଖିଳ ଚନ୍ଦ୍ର ଜାମୁଡ଼ାଲିଆ ଭିକାରୀଙ୍କ ନକଲି ଆଧାର କାର୍ଡ  ପ୍ରସ୍ତୁତ କରି ନିଜକୁ ହୃଦୟନାଥ ପ୍ରଧାନ ବୋଲି ପରିଚୟ ଦେଇ ଜମି ରେଜିଷ୍ଟ୍ରି କରିଥିଲେ। କିଛିଦିନ ପରେ ଭିକାରୀ ୧୦ବର୍ଷ ପୂର୍ବରୁ ହୃଦୟନାଥଙ୍କ ମୃତ୍ୟୁ ହୋଇ ସାରିଥିବା ଜାଣିବାକୁ ପାଇବା ପରେ ସେ ଠକେଇର ଶିକାର ହୋଇଥିବା ଜାଣି ଗତ ଅକ୍ଟୋବର ୨୯ ତାରିଖରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଦେବଗଡ଼ ଥାନା ପୁଲିସ ଠକେଇ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଦେବଗଡ଼ ଥାନା ଅନ୍ତର୍ଗତ କୈଳାଶ ଗ୍ରାମର ତପନ ନାୟକ  ମାଷ୍ଟରମାଇଣ୍ଡ  ରହିଥିବାବେଳେ ସେ ସମ୍ବଲପୁର ଜିଲ୍ଲା ଜମନକିରା ଥାନାଞ୍ଚଳର  ଅଖିଳ ଚନ୍ଦ୍ର ଜାମୁଡ଼ାଲିଆଙ୍କୁ ହୃଦୟନାଥ ପ୍ରଧାନ ବୋଲି ପରିଚୟ ଦେଇ ଜମି ରେଜିଷ୍ଟ୍ରି କରାଇଥିଲେ। ତପନ ନିଜେ ନକଲି ଆଧାର କାର୍ଡ ତିଆରି କରୁଥିବାବେଳେ ନକଲି ଆଧାରକାର୍ଡ ବଳରେ ସେ ପୂର୍ବରୁ ମଧ୍ୟ ବହୁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିବା ପୁଲିସ  ତଦନ୍ତ ବେଳେ ଜଣା ପଡ଼ିଥିଲା। ସେହିପରି ତପନ ଅନ୍ୟ କେତେକ ସହଯୋଗୀଙ୍କ ସହାୟତାରେ ୨୦୧୫ ମସିହାରୁ  ଜାଲ ଜମିପଟ୍ଟା ପ୍ରସ୍ତୁତ କରି  ବିଭିନ୍ନ ସମବାୟ ସମିତି, ବ୍ୟାଙ୍କ ଓ ବ୍ୟକ୍ତି ବିଶେଷଙ୍କଠାରୁ  ଲକ୍ଷାଧିକ ଟଙ୍କା ଋଣ ଉଠାଣ କରିଥିବାବେଳେ ଜିଲ୍ଲାର ବିଭିନ୍ନ ଅଦାଲତରେ ଜାଲ ଜମିପଟ୍ଟା ଦେଖାଇ ଅନେକ ମାମଲାର ଅଭିଯୁକ୍ତଙ୍କୁ ଜାମିନରେ ନେଉଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଫଳରେ  ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ନିଜ ପଟୁ ଅନ୍ୟ ଏକ ମାମଲା ରୁଜୁୁ କରି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଏସପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି। ଏହି ର୍ୟାକେଟରେ  ରାଜେନ୍ଦ୍ର ନକଲି ଷ୍ଟାମ୍ପ ପ୍ରସ୍ତୁତ କରୁଥିବାବେଳେ କାଳକାଠ ଗ୍ରାମର ଉମାକାନ୍ତ ନକଲି ପଟ୍ଟା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।