କୋର୍ଟରେ ସାକ୍ଷୀ ଦେବାରୁ ମରଣାନ୍ତକ ଆକ୍ରମଣର ଶିକାର

ଦେବଗଡ଼,ଏନ୍‌ଏନ୍‌ଏସ୍‌: କୋର୍ଟରେ ସାକ୍ଷୀ ଦେବାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । ସମ୍ପୃକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଆକ୍ରମଣ ଭିଆଇଥିବା ଦମ୍ପତ୍ତିଙ୍କୁ ଦେବଗଡ଼ ଥାନା ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ଦେବଗଡ଼ ଥାନା ଅନ୍ତର୍ଗତ ଦନ୍ତାରୀବାହାଳ ଗ୍ରାମର ଶଙ୍କର ନାୟକ ପଡ଼ୋଶୀ କମଳ ଲୋଚନ ଭୋଇ ଓ ତାଙ୍କ ସ୍ତ୍ରୀ ବିନି ଭୋଇଙ୍କ ବିରୋଧରେ ଗତ କିଛିଦିନ ତଳେ କୋର୍ଟରେ ସାକ୍ଷୀ ପ୍ରଦାନ କରିଥିଲେ । ଏଥିରେ ଉତକ୍ଷିପ୍ତ ଥିବା ଭୋଇ ଦମ୍ପତି ପ୍ରତିଶୋଧର ସୁଯୋଗ ଖୋଜୁଥିବାବେଳେ ଗତକାଲି ସନ୍ଧ୍ୟାରେ ଶଙ୍କରକୁ ସେମାନଙ୍କ ଘର ନିକଟରେ ଏକୁଟିଆ ପାଇ ଏକ ପଥର ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ହୋଇ ଶଙ୍କର ତଳେ ପଡ଼ିଯିବା ପରେ ଭୋଇ ଦମ୍ପତି ସେଠାରୁ ଚାଲି ଯାଇଥିଲେ । ସଜ୍ଞାହୀନ ଅବସ୍ଥାରେ ସାହି ପଡ଼ିଶା ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଶଙ୍କରକୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଶଙ୍କରକୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।