ଦିଲ୍ଲୀକୁ ଦଖଲ କରିବ ଆପ୍ !

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶେଷ ହେଲା ହାଇ ଭୋଲ୍ଟେଜ୍ ଇଲେକ୍ସନ ଡ୍ରାମା। ମତଦାନ ଶେଷ ହେବାପରେ ଏବେ ଚାଲିଛି ହାରଜିତର ଅଙ୍କକଷା। ଇତିମଧ୍ୟରେ ଆସିଛି ଏକଜିଟ୍ ପୋଲ୍ ର ସର୍ଭେ । ସର୍ଭେର ଆକଳନ ଅନୁସାରେ ଦିଲ୍ଲୀରେ ସରକାର ଗଢ଼ିବ ଆପ୍। ପୁଣି କ୍ଷମତାକୁ ଫେରିବେ କେଜରିୱାଲ। ମାତ୍ର କେନ୍ଦ୍ରରେ କ୍ଷମତାଶୀନ ବିଜେପି ସରକାରକୁ ବହୁମତ ମିଳିବ ନାହିଁ। ଭୋଟ ଗ୍ରହଣ ପରବର୍ତ୍ତୀ ଏଗ୍‌ଜିଟ୍‌ ପୋଲରେ ଏଭଳି ପୂର୍ବାନୁମାନ କରିଛନ୍ତି ଜାତୀୟ ସ୍ତରର ଗଣମାଧ୍ୟମ।

ଏଗ୍‌ଜିଟ ପୋଲ୍‌ ଫଳାଫଳ ଅନୁସାରେ ଦିଲ୍ଲୀର ୭୦ ବିଧାନସଭା ଆସନ ମଧ୍ୟରୁ ଅର୍ଦ୍ଧାଧିକ ଆସନ ଆପ୍‌କୁ ମିଳିବ। ଏହି ଦଳ ୪୦ରୁ ୬୧ ଆସନରେ ବିଜୟ ହାସଲ କରିବ। ସେହିପରି ବିଜେପି ୧୨ରୁ ୨୬ଟି ଆସନ ମଧ୍ୟରେ ବିଜୟୀ ହେବ। କଂଗ୍ରେସ ୧ରୁ ୪ଟି ଆସନ ହାତେଇବ। ଫେବୃଆରୀ ୧୧ରେ ଦିଲ୍ଲୀ ନିର୍ବାଚନ ପ୍ରକାଶ ପାଇବା।

ଟାଇମ୍ସ ନାଓର ସର୍ଭେ ରିପୋର୍ଟ ଅନୁଯାୟୀ ୭୦ ବିଧାନସଭା ଆସନରୁ ଆପ୍ ୪୪, ବିଜେପି ୨୬+, କଂଗ୍ରେସ ଏବଂ ଅନ୍ୟାନ୍ୟ କୌଣସି ଆସନରେ ଜିତି ପାରିବେ ନାହିଁ ବୋଲି ଆକଳନ କରିଛି । ସେହିପରି ଇଣ୍ଡିଆଟୁଡେ ଆକ୍ସିସ ମାଇ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଆପ୍ ୩୨-୩୮, ବିଜେପି ୦୨-୦୮, କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇପାରିବ ନାହିଁ ବୋଲି ଆକଳନ କରିଛି ।

ରିପବ୍ଲିକ ଟିଭି ଜନ କି ବାତର ରିପୋର୍ଟ ଅନୁଯାୟୀ ଆପ୍ ୪୮-୬୧, ବିଜେପି ୯-୨୧, କଂଗ୍ରେସ ୦-୧ ଆସନରେ ଜିତିବ ବୋଲି ଆକଳନ ହୋଇଛି । ନ୍ୟୁଜ ଏକ୍ସ ପୋଲଷ୍ଟାର୍ଟର ରିପୋର୍ଟ ଅନୁଯାୟୀ ଆପ୍ ୫୦-୫୬, ବିଜେପି ୧୦-୧୪ ଏବଂ କଂଗ୍ରେସ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ କୌଣସି ଆସନରେ ଜିତିପାରିବେ ନାହିଁ ବୋଲି ଏହି ସର୍ଭେ ସଂସ୍ଥା ଆକଳନ କରିଛି ।

ଶନିବାର ଦିନ ଦିଲ୍ଲୀରେ ୭୦ ଲୋକସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ସଂଧ୍ୟା ୬ଟା ସୁଦ୍ଧା ଦିଲ୍ଲୀରେ ୫୪.୬୫% ମତଦାନ ହୋଇଛି । ୭୦ ବିଧାନସଭା ଆସନ ପାଇଁ ମୋଟ୍ ୬୭୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୫ରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ୬୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୩ଟି ଆସନରେ ବିଜୟୀ ହୋଇଥିଲା । ଏହା ପୂର୍ବରୁ ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା । ଆପ୍ ଓ କଂଗ୍ରେସ ମିଶି ସରକାର ଗଢ଼ିଥିଲେ । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ କିଛି ଦିନ ପରେ ମେଂଟ ଭାଙ୍ଗିବା ପରେ ୨୦୧୫ରେ ପୁଣି ଥରେ ବିଧାନସଭା ନିର୍ବାଚନ ହୋଇଥିଲା ।