୩ ବର୍ଷ ଭିତରେ ରହିବନି କଚ୍ଚା ଘର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟରେ ରହିବନି କଚ୍ଚା ଘର। ରାଜ୍ୟ ସରକାର ସମସ୍ତଙ୍କୁ ପକ୍କାଘର ଯୋଗାଇଦେବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ବିଜୁ ପକ୍କା ଘର ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏହି ପକ୍କା ଘର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ ଏହି ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଗାଁ ଗହଳରେ ଥିବା ବାସହୀନ ଓ କଚ୍ଚାଘରେ ରହୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ। ବର୍ତ୍ତମାନ ସୁଦ୍ଧା ଯେଉଁମାନେ କୌଣସି ଯୋଜନାରେ ଘର ପାଇପାରି ନାହାନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇଦେବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଆସନ୍ତା ମାର୍ଚ୍ଚ ୫ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ସପ୍ତାହ ବ୍ୟାପୀ ପାଳନ କରିବାକୁ ବିଜେଡି ନିଷ୍ପତ୍ତି ନେଇଥିବା ବେଳେ ସରକାରୀସ୍ତରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏହି ଅବସରରେ ୨୦ଲକ୍ଷ ବିଜୁ ପକ୍କାଘର ବଣ୍ଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବିଜୁ ଜୟନ୍ତୀକୁ ଜୋରଦାର ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୨ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରକୁ କଙ୍କ୍ରିଟ ଘରର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ୨୦ଲକ୍ଷ ଘର ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି। ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାକୁ ଯାଇ ଏହି ଘରଗୁଡ଼ିକର କାର୍ଯ୍ୟାଦେଶ ବାଣ୍ଟିବେ। ତେବେ ରାଜ୍ୟର ଜିଲ୍ଲାୱାରୀ କେଉଁ ଜିଲ୍ଲାରେ କେତେ ଘର ବଣ୍ଟାଯିବ ତାହା ସ୍ଥିର ହୋଇନାହିଁ। ଆସନ୍ତା ୧୫ତାରିଖ ସୁଦ୍ଧା ପଞ୍ଚାୟତିରାଜ ବିଭାଗ ଦ୍ୱାରା ଜିଲ୍ଲାୱାରୀ ଘର ତାଲିକା ଜାରି କରାଯିବ। ଏଥିପାଇଁ ବଜେଟରେ ମଧ୍ୟ ଅର୍ଥ ବ୍ୟୟବରାଦ କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟରେ ଆଉ କୌଣସି ଲୋକ ବାସହୀନ କିମ୍ବା କଚ୍ଚାଘରେ ରହିବେ ନାହିଁ।

ଗତ ୩ ଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତାମାନେ ଏକ ବୈଠକର ଆୟୋଜନ କରି ବିଜୁ ଜୟନ୍ତୀକୁ ୭ଦିନ ବ୍ୟାପୀ ସମସ୍ତ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଦିନ ବିଜୁ ପଟ୍ଟନାୟକଙ୍କ ଜନ୍ମ ସ୍ଥାନ କଟକ ବାଲିଯାତ୍ରା ପଡ଼ିଆରେ ସମାରୋହ କରାଯିବ। ଏହି ୭ଦିନ ମଧ୍ୟରେ ଯୁବ ଓ ଛାତ୍ର ବିଜେଡି ପାଇଁ କିଛି କାର୍ଯ୍ୟକ୍ରମ, ମହିଳା ବିଜେଡି ପାଇଁ ବି କିଛି କାର୍ଯ୍ୟକ୍ରମ ରହିଛି। ବିଜୁ ବାବୁଙ୍କର ସାହାସିକତା ଓ ଓଡ଼ିଶା ଗଢ଼ିବାରେ ବଳିଦାନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଯିବ। ଏହା ସହିତ ସରକାରଙ୍କ ୨୦ବର୍ଷର ସଫଳତା କଥା ବି ଲୋକଙ୍କ ପାଖରେ ଦଳ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି।